କନକ ବ୍ୟୁରୋ : ମିଳିଲାନି ବେଡ୍, ଅଟୋରେ ହେଲା ରୋଗୀ ଚିକିତ୍ସା । କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଆଳି ପୁବଖଣ୍ଡ ବସ୍ତିର ସେଖ୍ ସାଜିଦ୍ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସିଏଚ୍ସିରେ ଶଯ୍ୟା ନଥିବାରୁ ଅଟୋରେ ରୋଗୀ ଚିକତ୍ସା କରାଯାଇଛି । ମୋବାଇଲ୍ ଲାଇଟରେ ସାଲାଇନ୍ ଓ ଇଞ୍ଜେକସନ୍ ଦିଆଯାଇଛି ।
ଏଭଳି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦିନ ୩ ଶହରୁ ଅଧିକ ରୋଗୀ ଆସିଥାନ୍ତି । ବହୁ ପ୍ରତୀକ୍ଷିତ ଆଧୁନିକ ପ୍ରସୂତି କେନ୍ଦ୍ର ନିର୍ମାଣ ପାଇଁ ମୁଖ୍ୟ କୋଠାକୁ ଭାଙ୍ଗି ଦିଆଯାଇଛି । ମାସେ ପରେ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ଫଳରେ ରୋଗୀ ନାନା ଅସୁବିଧା ଭୋଗୁଛନ୍ତି । ୩ବର୍ଷ ଭିତରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ, ରୋଗୀଙ୍କ ଚିକିତ୍ସା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ ନାହିଁ ।
ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଜରୁରିକାଳୀନ ବିଭାଗ ଓ ପ୍ରସୂତି ବିଭାଗର ୩୦ରୁ ଅଧିକ ଶଯ୍ୟା ରହିଥିବା ବେଳେ ଏବେ ଘର ଭଙ୍ଗା ଯାଇଥିବାରୁ ମାତ୍ର ୨ଟି ଶଯ୍ୟା ରହିଛି । ସେଠାରେ ଗୁରୁତର ରୋଗୀ ଚିକିତ୍ସାଧୀନ ଥିବାବେଳେ ଆଉ ଶଯ୍ୟା ନଥିବାରୁ ବାଧ୍ୟ ହୋଇ ଅଟୋ ଭିତରେ ରୋଗୀଙ୍କୁ ସାଲାଇନ୍ ଓ ଇଞ୍ଜେକ୍ସନ୍ ଦେବାକୁ ପଡ଼ିଲା ବୋଲି କହିଥିଲେ ।
Follow Us