ଆଗ ପରୀକ୍ଷା ପରେ ଚିକିତ୍ସା : ବରଗଡ ସଦର ମହକୁମାରୁ ଆସିଲା ଦୁଇ ଦୁଇଟି ଅଭାବନୀୟ ଦୃଶ୍ୟ

କୋଭିଡ ପରୀକ୍ଷାରେ ବିଳମ୍ବ ହେବାରୁ ବାରଣ୍ଡା ଓ ଅଟୋରେ ସନ୍ତାନ ଜନ୍ମ କଲେ ପ୍ରସୂତି

338

କନକ ବ୍ୟୁରୋ : କୋଭିଡ ଟେଷ୍ଟ ନକଲେ ହସ୍ପିଟାଲରେ ଭର୍ତି ହୋଇପାରିବେ ନାହିଁ ରୋଗୀ । ବରଗଡ ଜିଲ୍ଲା ସଦର ମହକୁମାର ସ୍ୱାସ୍ଥ୍ୟକେନ୍ଦ୍ରର ଏଭଳି ନିୟମ ଏକ ଆଭବନୀୟ ପରିସ୍ଥିତି ସୃଷ୍ଟି କରିଛି । ଆଜି ଭୋରରୁ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି, ଯେଉଁଠଇ ସ୍ୱାସ୍ଥ୍ୟ ସେବାର ଅସୁସ୍ଥତା ବାରି ହୋଇପଡିଛି । ଡାକ୍ତରଖାନା ବାରଣ୍ଡା ଓ ଅଟୋରେ ଜନ୍ମ ହୋଇଛନ୍ତି ଶିଶୁ ।

ବରଗଡ ତୋରା ଗାଁର ନେତ୍ରାନନ୍ଦ ମହାପାତ୍ର ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ଡାକ୍ତର ପ୍ରଥମେ କୋଭୀଡ ଟେଷ୍ଟ କରିବାକୁ କହିଥିବା ବେଳେ ସେଠାରେ କେହି ଉପସ୍ଥିତ ନଥିଲେ । ପ୍ରସୂତି କକ୍ଷ ମଧ୍ୟ ବନ୍ଦ ରହିଥିଲା । ଅଭିଯୋଗ କରିବା ପରେ କେହି ଶୁଣିନଥିଲେ । ଅନେକ ସମୟ ଧରି ହସ୍ପିଟାଲ ପରିସରରେ ଛଟପଟ ହେବା ପରେ ମହିଳା ଜଣକ ଅଟୋରେ ଏକ ସନ୍ତାନ ଜନ୍ମ କରିଥିଲେ ।

ସେହିପରି ନୂଆ ଗୁଡେସିରା ଗାଁର ଭାବିନ୍ଦ୍ର ମିନା ତାଙ୍କ ସ୍ତ୍ରୀଙ୍କୁ ଧରି ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆସିଥିଲେ କୋଭିଡ ପରୀକ୍ଷା ପାଇଁ ପ୍ରକ୍ରିୟାରେ ବିଳମ୍ବରୁ ଡାକ୍ତରଖାନା ପରିସରରେ ବନ୍ଦ ହୋଇପଡିଥିବା ମାତୃ ମଙ୍ଗଳ କେନ୍ଦ୍ର ବାରଣ୍ଡାରେ ଏକ ସନ୍ତାନ ଜନ୍ମ କରିଥିଲେ । ଭିଷଣ ଗର୍ଭ ଯନ୍ତ୍ରଣା ସହ ହସ୍ପିଟାଲ ଆସୁଥିବା ଆସନ୍ନ ପ୍ରସବାଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରିବା ବଦଳରେ ପ୍ରଥମେ କୋଭିଡ ପରୀକ୍ଷା ପାଇଁ କହିବା ଓ ଚିକିତ୍ସା ଆରମ୍ଭରେ ବିଳମ୍ବ କରିବାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।