କନକ ବ୍ୟୁରୋ : ଚିକିତ୍ସା ପାଇବାକୁ ହେଲେ ନଦୀ ପାର ହେବାକୁ ପଡିବ । ଏ ହେଉଛି ରାୟଗଡା ଜିଲ୍ଲାର ଚିତ୍ର । ଝାଡାବାନ୍ତି ଆକ୍ରାନ୍ତ ରୋଗୀକୁ ଏକ କିଲୋମିଟର ଖଟିଆରେ ବୁହାହୋଇ ନାଗାବଳୀ ନଦୀ ପାର ହେବା ପରେ ମେଡିକାଲ ସୁବିଧା ମିଳିିଛି ।

ଶନିବାର ଖିଲିମିଶି ଗୁଡ଼ା ଗ୍ରାମର ୬୦ ବର୍ଷୀୟ ବୃଦ୍ଧା ସତ୍ୟବତୀ ମାଣ୍ଡାଙ୍ଗି ବିଳମ୍ବିତ ରାତିରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ । ହସ୍ପିଟାଲ ଯିବାକୁ ହେଲେ ନାଗାବଳୀ ନଦୀ ପାରି ହେବାକୁ ପଡିବ । ହେଲେ ରାତି ହୋଇଥିବାରୁ ମେଡିକାଲ ଯାଇ ପାରିନଥିଲେ । ସକାଳୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା । ଏହା ପରେ ଗ୍ରାମବାସୀ ଖଟିଆରେ ବୋହି ତାଙ୍କୁ ନାଗାବଳୀ ନଦୀ ପାର କରିଥିଲେ । ଏହାପରେ ସେଠାରୁ ଅଟୋ ଯୋଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଖିଲିମିଶି ଗୁଡ଼ା ଗ୍ରାମ ସମେତ ୧୫ ଖଣ୍ଡ ଗ୍ରାମବାସୀଙ୍କ ଗମନାଗମନ ସୁବିଧା ପାଇଁ ଗତ ୪ବର୍ଷ ପୂର୍ବେ ଏକ ବିଜୁ ସେତୁ ନିର୍ମାଣ ପାଇଁ ସରକାର ଅନୁଦାନ ରାଶି ମଞ୍ଜୁରୀ କରିଥିଲେ । ହେଲେ ଠିକାଦାର ଏହି ସେତୁ କାମ ଅଧାପନ୍ତରିଆ ରଖି ଦେଇଛି । ଏହା ଫଳରେ ୧୫ ଖଣ୍ଡ ଗ୍ରାମବାସୀ ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭଗୁଛନ୍ତି ।