କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାରେ ଜାରି ହୋଇଛି ଦୁଇ ଦିନିଆ ସଟଡାଉନ କଟକଣା । ଜୁନ ୩୦ ଯାଏଁ ପ୍ରତି ସପ୍ତାହରେ ଦୁଇ ଦିନ ତଥା ପ୍ରତି ଶନିବାର ଓ ରବିବାର ଭୁବନେଶ୍ବରରେ ସମେତ ୧୧ଟି ଜିଲ୍ଲା ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି । ଏହାକୁ କଡ଼ାକଡ଼ି କରିବା ପାଇଁ କମିସନରେଟ୍ ପୁଲିସ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଭୁବନେଶ୍ବରର ୪୩ ଜାଗାରେ ନାକାବନ୍ଦୀ କରିବା ସହ କୌଣସି ପ୍ରକାରର ଅନଧିକୃତ ବ୍ୟକ୍ତି ବା ଯାନବାହନକୁ ନ ଛାଡ଼ିବା ପାଇଁ ନିଷ୍ପତି ନିଆଯାଇଛି । ଜୁନ୍ ମାସ ସବୁଠାରୁ ସମ୍ବେଦନଶୀଳ ହୋଇଥିବାରୁ ସଟ୍ଡାଉନ୍ ପାଳନରେ କୌଣସି ଗଳାବାଟ ଛାଡ଼ିବାକୁ କମିସନରେଟ୍ ପୁଲିସ୍ ଚାହି ନାହିଁ। ଦୁଇ ଦିନ ଜରୁରୀକାଳୀନ ସେବା ଛଡ଼ା ଅନଧିକୃତ ଭାବରେ ବାହାରକୁ ନ ବାହାରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପୂର୍ବବତ୍ କର୍ଫ୍ୟୁ ରହିଛି। ଏହି ସଟ୍ଡାଉନ୍ ସମୟରେ ମଧ୍ୟ ଏହାକୁ କଡ଼ାକଡ଼ି କରାଯାଇଛି। ଏଣୁ ଏହି ସମୟରେ ସାଧାରଣ ନାଗରିକଙ୍କୁ ବାହାରକୁ ବାହାରିବାକୁ ଦିଆଯିବ ନାହିଁ। ବାହାଘର କିମ୍ବା ଶେଷକୃତ୍ୟ ପାଇଁ ଯିବାକୁ ହେଲେ, ସ୍ଥାନୀୟ ଥାନାରୁ ସ୍ବୀକୃତି ଆଣିବାକୁ ପଡ଼ିବ। ଏହି ସ୍ବୀକୃତି ବଳରେ କର୍ଫ୍ୟୁ କିମ୍ବା ସଟ୍ଡାଉନ୍ ସମୟରେ ଯାଇପାରିବେ। ବାହାଘରରେ ସର୍ବାଧିକ ୫୦ ଲୋକ ଯୋଗ ଦେଇପାରିବେ। ଶେଷକୃତ୍ୟରେ ସର୍ବାଧିକ ୨୦ଲୋକ ଯୋଗ ଦେଇପାରିବେ। କେଉଁ କେଉଁ ଲୋକ ଯିବେ, କେଉଁ ଗାଡ଼ି ବ୍ୟବହାର ହେବ, ସେ ନେଇ ଲିଖିତ ଭାବେ ଜଣାଇବା ପରେ ସ୍ବୀକୃତି ମିଳିବ। ବିନା ସ୍ବୀକୃତିରେ ଚଳପ୍ରଚଳ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି।
ଅନ୍ୟପଟେ, ଆସନ୍ତାକାଲି ରାଜ୍ୟର ୧୧ଟି ଜିଲ୍ଲାରେ ସଟଡାଉନ ରହିବ । ହେଲେ ରାଜ୍ୟର ଅନ୍ୟ ଅଂଚଳ ଭଳି ୧୧ ଜିଲ୍ଲାରେ ମଧ୍ୟ ପେଟ୍ରୋଲ ପମ୍ପ ଖୋଲାଯିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପେଟ୍ରୋଲ ପମ୍ପ ସଂଘର ସଂପାଦକ ସଂଜୟ ଲାଠ । କରୋନା ସଂକ୍ରମଣକୁ ଆଖିରେ ରଖି ରାଜ୍ୟର ୧୧ଜିଲ୍ଲାକୁ ଶନିବାର ଓ ରବିବାର ସଟଡାଉନ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
Follow Us