ଆମେରିକାରେ ବାଇଡେନ୍ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା । ପାକିସ୍ତାନ ନଯିବାକୁ ଆମେରିକାବାସୀଙ୍କ ପାଇଁ ଜାରି ହେଲା ଆଡଭାଇଜାରି ।

860

କନକ ବ୍ୟୁରୋ : ଆମେରିକାରେ ବାଇଡେନ ସରକାର ହେବା ପରେ ପାକିସ୍ତାନକୁ ପ୍ରଥମ ଝଟକା ଲାଗିଛି । ଆମେରିକା ଦକ୍ଷିଣ ଏସିଆର ତିନିଟି ଦେଶ ପାଇଁ ନିଜ ଟ୍ରାଭେଲ ଆଡଭାଇଜାରି ଜାରି କରିଛି । ଆଉ ଏହି ଟ୍ରାଭେଲ ଆଡ଼ଭାଇଜାରୀରେ ପାକିସ୍ତାନକୁ ଯିବା ବିପଦପୂର୍ଣ୍ଣ ବୋଲି କୁହାଯାଇଛି । ଟ୍ରାଭେଲ ଆଡଭାଇଜାରି ମାଧ୍ୟମରେ ଆମେରିକା ନିଜ ଦେଶର ନାଗରିକଙ୍କୁ କହିଛି ଯେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନକୁ ଯାତ୍ରା ନକରିବା ଉଚିତ ।

ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ତିନି ଦେଶ ପାଇଁ ସ୍ୱତନ୍ତ୍ର ଟ୍ରାଭେଲ ଆଡଭାଇଜାରି ଜାରି କରିଛି । ଟ୍ରାଭେଲ ଆଡଭାଇଜାରିରେ କୁହାଯାଇଛି ଯେ କୋଭିଡ-୧୯, ଆତଙ୍କବାଦ, ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖି ଆମେରିକା ନାଗରିକ ପାକିସ୍ତାନ ଯିବାକୁ ଚାଁହୁଥିଲେ ପୁନର୍ବିଚାର କରିବା ଉଚିତ । ଆମେରିକା ଆତଙ୍କବାଦ ଓ ଅପହରଣ ଘଟଣାକୁ ନଜରରେ ରଖି ପାକିସ୍ତାନର ବେଲୁଚିସ୍ତାନ ଓ ଖାଇବର ପଖତୁନ ଅଂଚଳକୁ ନଯିବାକୁ ମଧ୍ୟ ପରାମର୍ଶ ଦେଇଛି । ସେହିପରି ଭାରତ-ପାକିସ୍ତାନ ସୀମାରେ ଥିବା ଅଂଚଳକୁ ମଧ୍ୟ ନ ଯିବାକୁ ଆଡଭାଇଜାରିରେ କୁହାଯାଇଛି ।

ଏଠାରେ ଆତଙ୍କବାଦୀ ସଂଗଠନ ସକ୍ରିୟ ରହୁଥିବାରୁ ଓ ଦୁଇ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବାରୁ ନଯିବାକୁ କୁହାଯାଇଛି । ସୂଚନା ଥାଉ କି ବାଇଡେନ ସରକାର ଆସିବା ପରେ ପାକିସ୍ତାନ ଅତ୍ୟନ୍ତ ଖୁସି ହୋଇଯାଇଥିଲା । ପାକିସ୍ତାନ ପ୍ରତି ଆମେରିକାର ସକାରାତ୍ମକ ଚିନ୍ତାଧାରା ବଢିବା ବୋଲି ଆଶା କରିଥିଲା । ପାକିସ୍ତାନର ବିଦେଶ ମନ୍ତ୍ରୀ ସାହ ମହମ୍ମଦ କ୍ୟୁରେସି କହିଥିଲେ ଯେ ବାଇଡେନ ପ୍ରଶାସନ ବୁଝିବା ଦରକାର ଯେ ଗତ ୪ ବର୍ଷ ମଧ୍ୟରେ ପାକିସ୍ତାନ ବହୁତ ବଦଳିଯାଇଛି । ଏବେ ନୂଆ ପାକିସ୍ତାନ ସହ ସମ୍ପର୍କ ଆହୁରି ମଜଭୁତ ହେଉ ବୋଲି କ୍ୟୁରେସି କହିଥିଲେ ।