କନକ ବ୍ୟୁରୋ: ଚାଷୀ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ସମସ୍ୟା ଚାଷୀଙ୍କ ପିଛା ଛାଡୁନାହିଁ । କେତେବେଳେ ପ୍ରକୃତି ଦାଉ ସାଧୁଛି ତ କେତେବେଳେ ସରକାରୀ ବିହନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି । ଏଭଳି ସ୍ଥିତିରେ ଚାଷକୁ ଭରସା କରି ପରିବାର ପୋଷୁଥିବା ଚାଷୀକୂଳ ଭାଙ୍ଗି ପଡିଛନ୍ତି । ଯେଉଁ ଜମିରେ ଏବେ ଧାନ ଗଛ ଲହଡି ମାରିଥାନ୍ତା, ସେହି କ୍ଷେତରେ ଏବେ ଦୁର୍ଭିକ୍ଷ ପରିସ୍ଥିତି । ସରକାରୀ ବିହନ ଆଣି ଚାଷ କରିଥିବା ଚାଷୀ ସର୍ବହରା ହୋଇପଡିଛନ୍ତି । ଧାଡି କି ଧାଡି ଗୁଚ୍ଛ ଗୁଚ୍ଛ ଭାବେ ଲଗାଯାଇଥିବା ଧାନ ଗଛ କେଣ୍ଡା ଧରିବା ଆଗରୁ ପତ୍ର ପୋଡି ଯାଉଛି । ଗଜପତି ଜିଲ୍ଲା ମୋହନା ବ୍ଲକ କଙ୍କୋରୋଡା ଅଞ୍ଚଳରେ ପ୍ରାୟ ୩୦ ଏକରରୁ ଅଧିକ ଚାଷ ଜମିରେ ଫସଲ ନଷ୍ଟ ହୋଇଯାଇଛି ।
ଆଦିବାସୀ ସମ୍ପ୍ରଦାୟର ଗରିବ ଚାଷୀ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଚାନ୍ଦିପୁଟ ସ୍ଥିତ ସକାଳ ସଂସ୍ଥାରୁ ସରକାରୀ ବିହନ ଆଣି ଚାଷ କରିଥିଲେ । ତଳି ଠିକ ଥିଲା କିନ୍ତୁ ଥୋଡ ବାହାରିବା ବେଳକୁ ଧାନ ଗଛ ସବୁ ପତ୍ରପୋଡା ରୋଗରେ ଆକ୍ରାନ୍ତ ହୋଇଛି । ଚାଷୀ କୀଟନାଶକ ସିଞ୍ଚନ କଲେ ବି ଲାଭ ମିଳୁନି । ଏଭଳି ଦୁର୍ଦ୍ଦଶାକୁ ନେଇ ଚାଷୀ କୃଷି କର୍ମଚାରୀଙ୍କୁ ଜଣାଇଛନ୍ତି, ହେଲେ ବିଭାଗୀୟ ଅଧିକାରୀ କ୍ଷେତ ପରିଦର୍ଶନ କରୁନାହାନ୍ତି । କେବଳ ଔଷଧ ଆଣି ପକାଇବାକୁ ପରାମର୍ଶ ଦେଇ ଚୁପ ବସିଛନ୍ତି । ଚାଷ କରି ନିଜେ ବଞ୍ଚିବା ସହ ଅନ୍ୟର ପେଟକୁ ଦିମୁଠା ଦାନା ଯୋଗାଉଥିବା ଚାଷୀ ସର୍ବଦା ସମସ୍ୟାରେ ଜର୍ଜରିତ । ତେବେ କଙ୍କୋରୋଡାର କ୍ଷତିଗ୍ରସ୍ଥ ଚାଷୀଙ୍କ ଫସଲ ଉଜୁଡି ଯାଇଥିବା ବେଳେ ସେମାନେ ଏବେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/15-31.jpg)