କନକ ବ୍ୟୁରୋ: କାହିଁକି ବଦଳିଲା ବସର ରଙ୍ଗ? ସରକାରଙ୍କ ନିଷ୍ପତି ପଛର କାରଣ କ’ଣ? ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ। କନକ ନ୍ୟୁଜ୍କୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ଦେଇ ବିଭୁତି ଭୂଷଣ ଜେନା କହିଛନ୍ତି, ଲକ୍ଷ୍ମୀ ବସରେ କୌଣସି ରଙ୍ଗ ନଥିଲା। ଏଥିରେ ଷ୍ଟିକର ମରା ଯାଇଥିଲା। ଗୋଟିଏ ଦଳର ଉଦ୍ଦେଶ୍ୟକୁ ଚାରିତାର୍ଥ କରିବା ପାଇଁ, ସେମାନେ ତାଙ୍କ ଦଳର ରଙ୍ଗ ଲଗାଇଥିଲେ। ଏହାସହ ତାଙ୍କର ଦଳୀୟ ସଙ୍କେତ ମଧ୍ୟ ବସରେ ସ୍ଥାନିତ ହୋଇଥିଲା। ତାକୁ ଯେତେବେଳେ ବାହାର କରାଗଲା, ସେତେବେଳେ ପୂର୍ବରୁ ଥିବା ଷ୍ଟେଟ ଟ୍ରାନ୍ସପୋର୍ଟର ରଙ୍ଗକୁ ଲଗାଇବା ପାଇଁ ଚେଷ୍ଟା କରାଯାଇଛି। ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀ ଆସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏବେ ସେହି ବସରେ ହିଁ ପୂର୍ବ ଓଏସଆରଟିସି ରଙ୍ଗ ଲଗାଯାଇ ପୁରୀ ଅଣାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଅର୍ଥାତ ଆଗକୁ ସବୁ ବସରେ ରଙ୍ଗ ଲାଗିବ। ରଙ୍ଗ ଏକ ବିବାଦ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାର ଷ୍ଟିକର ଲଗେଇ ଏହାକୁ ନିର୍ବାଚନ ପରେ ବନ୍ଦ କରି ଦେବାର ଯୋଜନା କରିଥିଲେ। ବିଜେଡି ଏବେ ହିସାବ ଦେଉ ଏଥିରେ କେତେ କ୍ଷତି ହୋଇଛି, କେତେ ଲୋକଙ୍କୁ ବସ ସେବା ଦେଇଛନ୍ତି। ସେମାନେ ରଙ୍ଗ ନ ଲଗେଇ କାହିଁକି ରଙ୍ଗ ଲଗା କଥା କହୁଛନ୍ତି। ଷ୍ଟିକର ଲାଗିଥିଲା। ନିର୍ବାଚନ ପରେ ଷ୍ଟିକର ବାହାର କରି ଯୋଜନା ବନ୍ଦ କରି ଦେଇଥାନ୍ତେ। ତାର ସମ୍ପୁର୍ଣ୍ଣ ତର୍ଜମା କରି ଲୋକଙ୍କୁ ବସ ସେବା ଯୋଗାଇ ଦିଆଯିବ। ସବୁ ଆବଶ୍ୟକ ରୁଟରେ ବସ ଚଳିବ ବୋଲି କହିଛନ୍ତି ମନ୍ତ୍ରୀ।