କନକ ବ୍ୟୁରୋ : ଗୋଟିଏ ପଟେ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ କରିବାକୁ ଚେତାବନୀ ଦେଉଛି । ସରକାର କଥା ନବୁଝିଲେ ଆନ୍ଦୋଳନ କରିବ ବୋଲି କହିଛି ସଂଘ । ଆଉ ଏତିକି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘରୋଇ ବସରେ ଜୋରଦାର ଯାଂଚ କରାଯାଉଛି । ଏହାସହ ଫାଇନ୍ ଆଦାୟ ହେଉଛି । ଯାହାକୁ ନେଇ ଘରୋଇ ବସ୍ ମାଲିକ ସଂଘ ଅଭିଯୋଗ କରିଛି ଯେ, ରାଜ୍ୟ ସରକାର ଆକ୍ରୋଶ ମୂଳକ ଭାବେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ବୁଧବାର ଲୋୟର ପିଏମଜିରେ ଧାରଣା ଦେଇଥିଲେ ଘରୋଇ ବସ୍ ମାଲିକ । ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କୁ ଚେତାବନୀ ଦେଇଥିଲେ । ଚଳିତ ମାସ ଶେଷ ସୁଦ୍ଧା ସରକାର କିଛି ନିଷ୍ପତି ନନେଲେ ଡିସେମ୍ବର ୧ରୁ ଧର୍ମଘଟ କରିବେ ବୋଲି କହିଛନ୍ତି । କିନ୍ତୁ ଚେତାବନୀ ଦେବାର କିଛି ଘଂଟା ପରେ ବସ୍ ମାଲିକ ସଂଘ ପକ୍ଷରୁ ସାଂଘାତିକ ଅଭିଯୋଗ ଅଣାଯାଇଛି । ସମସ୍ୟାର ସମାଧାନ କରିବା ପରିବର୍ତେ ଆକ୍ରୋଶ ମୂଳକ ଭାବେ ଘରୋଇ ବସ୍ ଗୁଡିକୁ ରାସ୍ତାରେ ଅଟକାଇ ଆରଟିଓ ଫାଇନ୍ ଆଦାୟ କରାଯାଉଥିବା ଅଭିଯୋଗ କରିଛି ସଂଘ ।

Advertisment

ସୋରରେ ଜାତୀୟ ରାଜପଥରେ ଘରୋଇ ବସକୁ ଅଟକାଇ ଜୋରସୋରରେ କରାଯାଇଛି ଚେକିଂ । ଆଉ ଯାଂଚ ସମୟରେ କାଗଜପତ୍ର ଠିକ୍ ନଥିବା,କଣ୍ଡକ୍ଟର ଲାଇସେନ୍ସ ନଥିବା, ଇଣ୍ଡିକେଟର ନଜଳିବା, ୱାଇପର କାମ ନକରିବା ଦର୍ଶାଇ, ଫାଇନ କଟା ଯାଇଛି । କେବଳ ଏହି ଗୋଟିଏ ସ୍ଥାନରେ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଫାଇନ କଟାଯାଉଛି । ସୂଚନା ଅନୁସାରେ ବୁଧବାର ଦେଢ଼ ହଜାର ଘରୋଇ ବସରୁ ଫାଇନ୍ କଟା ଯାଇଛି । ତେବେ ଅଚାନକ ପରିବହନ ବିଭାଗ ଏମିତି ସକ୍ରିୟ ହୋଇପଡିବା ସନ୍ଦେହ ସୃଷ୍ଟି କରିଛି ।

ଯେଉଁ ଗାଡିର କାଗଜପତ୍ର ଠିକ୍ ନାହିଁ, ସେମାନଙ୍କ ଫାଇନ କାଟିବାରେ କୌଣସି ଅସୁବିଧା ନାହିଁ । ତେବେ ପ୍ରଶ୍ନ ଉଠୁଛି,
- ଯେଉଁ ଗାଡିଗୁଡିକର କାଗଜପତ୍ର ଠିକ୍ ନଥିଲା, ସେଗୁଡିକ ରାସ୍ତାରେ ଆଜି ପର୍ଯ୍ୟନ୍ତ ଗଡୁଥିଲା କେମିତି?
- ପରିବହନ ବିଭାଗ କାହିଁକି ପୂର୍ବରୁ ନେଉନଥିଲା କାର୍ଯ୍ୟାନୁଷ୍ଠାନ?
- ଆନ୍ଦୋଳନ ପରେ ଅଚାନକ ପରିବହନ ବିଭାଗ ତତ୍ପର ହେବା ପଛର ରହସ୍ୟ କଣ?