ନନ୍ଦନକାନନ ଥାନା ସାମ୍ନାରେ କିନ୍ନରଙ୍କ ଉଲଗ୍ନ ପ୍ରତିବାଦ! ପୁଲିସ ଅଭିଯୋଗ ଗ୍ରହଣ ନକରିବା ପ୍ରତିବାଦରେ ଥାନା ଆଗରେ ଧାରଣା

36

କନକ ବ୍ୟୁରୋ : ପୁଲିସ ପକ୍ଷପାତିତା ବିରୋଧରେ ଅଦ୍ଭୁତ ପ୍ରଦର୍ଶନ ଦେଖିବାକୁ ମିଳିଛି । ଦୁର୍ଘଟଣା ଘଟାଇଥିବା ଜଣେ ଯୁବକଙ୍କ ପ୍ରତି ମରଣାନ୍ତକ ଆକ୍ରମଣ ପରେ ସେ ହସ୍ପିଟାଲରେ ଆଖିବୁଜି ଦେବାରୁ ଏଭଳି ପ୍ରତିବାଦ କରିଛନ୍ତି ସଂପର୍କୀୟ ଓ ସମର୍ଥକ । ଭୁବନେଶ୍ୱର ନନ୍ଦନକାନନ ଥାନା ସାମ୍ନାରେ ନଗ୍ନ ହୋଇ ପ୍ରତିବାଦ କରିଛନ୍ତି ଜଣେ କିନ୍ନର । ଜାଣନ୍ତୁ କଣ ଥିଲା ପୁରା ଘଟଣା ।

ପୁଲିସ୍ ଅଭିଯୋଗ ଗ୍ରହଣ ନକରିବା ଜଣକୁ କେତେ ମର୍ମାହତ କରିପାରେ ଏହି ଚିତ୍ର ହିଁ ବୟାନ କରୁଛି । ଭୁବନେଶ୍ୱର ନନ୍ଦନକାନନ ଥାନା ସମ୍ମୁଖରେ ବିବସ୍ତ୍ର ହୋଇ ପ୍ରତିବାଦ କରିଛନ୍ତି ଜଣେ କିନ୍ନର । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ ପାଇଁ ଆସିଥିବା ଏହି ମହିଳା ଓ କିନ୍ନରଙ୍କୁ ଯେତେବେଳେ ନିରାଶ ହେବାକୁ ପଡ଼ିଥିଲା, ପ୍ରତିବାଦର ଏଭଳି ଏକ ମାଧ୍ୟମକୁ ବାଛି ନେଇଥିଲେ କିନ୍ନର । ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଇଥିଲା ।

ଅଭିଯୋଗ ଅନୁସାରେ ଗୁରୁବାର ବାରଙ୍ଗରେ ଜଣେ ଯୁବତୀଙ୍କ ସହିତ ଜଣେ ଯୁବକଙ୍କର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାକୁ ନେଇ ବଚସା ହେବା ପରେ ଯୁବତୀ ଜଣକ କିଛି ଲୋକଙ୍କ ଲଗାଇ ଯୁବକଙ୍କୁ ମାରପିଟ କରିଥିଲେ । ଏପରିକି ଏତେ ଯୋରେ ମାଡ ମାରିଥିଲେ ଯେ ଯୁବକ ଜଣକ ଲହୁଲୁହାଣ ହୋଇ ରାସ୍ତାରେ ପଡିରହିଥିଲେ । ଆଉ ଯୁବକ ଜଣକ ହସ୍ପିଟାଲରେ ଆଖି ବୁଜି ଦେଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବାକୁ ଆସିଥିବା ବେଳେ ଘଟିଛି ଏଭଳି ଏକ ପ୍ରତିବାଦ । କିନ୍ନର ଜଣଙ୍କ ନଗ୍ନ ହୋଇ ପ୍ରତିବାଦ କରିଥିଲେ । ଯୁବକଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି ।