ଶ୍ମଶାନ ନେଉଛନ୍ତି, ଶବ ସଂସ୍କାର କରୁଛନ୍ତି… ଅଜଣା ହେଉ କି ଆକ୍ରାନ୍ତ ମୃତଦେହ, ମଶାଣୀରେ ଦାହ ସଂସ୍କାର କରି ମଣିଷପଣିଆର ମାଇଲଖୁଣ୍ଟ ସାଜିଛନ୍ତି ଅନୁଗୁଳର କିନ୍ନର ଚିନ୍ମୟୀ ।

434

କନକ ବ୍ୟୁରୋ: ଶବର ଶେଷ ସାଥୀ ଚିନ୍ମୟୀ । କିନ୍ନର କରୁଛନ୍ତି ଅନ୍ତିମ ସଂସ୍କାର । ଯେତେବେଳେ ସଂକ୍ରମଣ ଭୟରେ ଶବ ଛଅଁନ୍ତିନି ସମ୍ପର୍କୀୟ, ପାଖ ମାଡନ୍ତିନି ପରିବାର ଲୋକେ । କରୋନା ଭୟରେ ମାଆର ମୁହଁକୁ ଚାହେଁନି ପୁଅ । ସ୍ତ୍ରୀକୁ ଛୁଏଁନି ସ୍ୱାମୀ । ସେତେବେଳେ ଶବ ସତ୍କାର ପାଇଁ ଖୋଜା ପଡନ୍ତି ଚିନ୍ମୟୀ । ଅଜଣା ଶବ ହେଉ କି ସଂକ୍ରମିତ ଶବ… ଯେତେବେଳେ, ଯେଉଁ ସମୟରେ ଚିନ୍ମୟୀଙ୍କୁ ଖୋଜା ପଡେ ସେ ହାଜର ହୁଅନ୍ତି ଆଉ ସଙ୍କଟ ସମୟର ସାହାରା ସାଜନ୍ତି । ମହାମାରୀ ବେଳେ ମଣିଷପଣିଆର ମାଇଲଖୁଣ୍ଟ ସାଜି ମରଶରୀରକୁ ମଶାଣୀ ନେଇ ସମ୍ମାନର ସହ ସଂସ୍କାର କରନ୍ତି… ବୋଧହୁଏ ସେଇଥିପାଇଁ ଚିନ୍ମୟୀଙ୍କ ଏହି ମନାନତା ଆଜି ତାଙ୍କୁ ଚର୍ଚ୍ଚିତ କରାଇଛି ଆଉ ସମସ୍ତେ ତାଙ୍କୁ ସାଧୁବାଦ ଜଣାଉଛନ୍ତି ।

ଅନୁଗୁଳ ଜରପଡା ଅଞ୍ଚଳର କିନ୍ନର ଚିନ୍ମୟୀ ଦାସ । ଇଏ ବି ଜଣେ କରୋନା ଯୋଦ୍ଧା । ନା ଇଏ ଆଶା ଦିଦି, ନା ସ୍ୱାସ୍ଥ୍ୟକର୍ମୀ ନା ବି ଅଙ୍ଗନୱାଡି କର୍ମୀ । ତଥାପି ଅସମୟରେ ଲୋକଙ୍କ ଦୁଃଖର ସାଥୀ ସାଜି ଦୁନିଆ ପାଇଁ ସାଜିଛନ୍ତି ଉଦାହରଣ । ହାତରେ ଗ୍ଲୋଭସ, ଦେହରେ ପିପିଇ କିଟ୍ ପିନ୍ଧି କରୋନା ଆକ୍ରାନ୍ତ ଶବ ଠାରୁ ଅକାଳରେ ଆଖିବୁଜୁଥିବା ଶବକୁ ସେ ଶ୍ମଶାନ ନିଅନ୍ତି ଆଉ ସଂସ୍କାର କରନ୍ତି ।

ଦେଖନ୍ତୁ ଏ ଦୃଶ୍ୟକୁ କେମିତି ଚିନ୍ମୟୀ ଗୋଟେ ଅସହାୟ ପରିବାରକୁ ସାହାଯ୍ୟ କରୁଛନ୍ତି । ମାଆଙ୍କ ମୃତ୍ୟୁ ପରେ ପାଖ ପଡୋଶୀ ଯେତେବେଳେ କରୋନା ଭୟରେ ମୁହଁ ମୋଡି ଦେଲେ ଆଉ ଉକ୍ତ ମହିଳାଙ୍କ ବଡ ପୁଅ ଆସିଲେନି ସେତେବେଳେ ସାନ ପୁଅଙ୍କ ସାହାଯ୍ୟରେ ମହିଳାଙ୍କ ଶବକୁ ବାଇକରେ ମଶାଣୀ ନେଇଥିଲେ ଚିନ୍ମୟୀ ।

ଏଇ ଗୋଟିଏ ଘଟଣା ନୁହେଁ ବରଂ ଅନୁଗୁଳର ଅନେକ ସାହାଯ୍ୟଧର୍ମୀ କାମରେ ସେ ନିଜକୁ ନିୟୋଜିତ କରିଛନ୍ତି । ଇତି ମଧ୍ୟରେ ପାଖାପାଖୀ ୨୦ରୁ ଅଧିକ ଶବର ସତ୍କାର କରି ସାରିଲେଣି ଚିନ୍ମୟୀ । ଆଉ ତାଙ୍କର ଏ ମହାନତା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ପର ପାଇଁ ନିଜ ଜୀବନରୁ ଉତ୍ସର୍ଗୀକୃତ କରିଥିବା ଚିନ୍ମୟୀଙ୍କୁ ଦବଙ୍ଗ ଆଇପିଏସ ଅରୁଣ ବୋଥ୍ରା ବି ଚିନ୍ମୟୀଙ୍କୁ ବାଃ ବାଃ କରିଛନ୍ତି…

ତେବେ ଚିନ୍ମୟୀଙ୍କ ପ୍ରକୃତ ନାମ ଥିଲା ଗଗନ ବିହାରୀ ଦାସ । ଜଗତସିଂହପୁର ତିର୍ତ୍ତୋଲ ଥାନା ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିବା ବେଳେ । ପିଲା ବେଳୁ କିନ୍ନର ଥିବାରୁ ତାଙ୍କୁ ସାହି ପଡିଶାଙ୍କ ଟାହିଟାପରା ଶୁଣିବାକୁ ପଡିଥିଲା । ଆଉ ସେ ମାମୁଘର ଆସି, ଜୀବନରେ ଅନେକ ସଂଘର୍ଷ କରି ଆଜି ଏ ସ୍ତରରେ ପହଞଚି ପାରିଛନ୍ତି । ଆଉ ମହାମାରୀର ଏ ସଙ୍କଟ ସମୟରେ ଜଣେ କିନ୍ନର କରୋନା ଯୋଦ୍ଧା ଭଳି କାମ କରୁଛନ୍ତି । ଖାଲି ଶବ ସତ୍କାର ନୁହେଁ କରୋନା ପରୀକ୍ଷା, କୋଭିଡ୍ ଆକ୍ରାନ୍ତଙ୍କୁ ସୁବିଧା ଯୋଗାଇବା ଠାରୁ ବୃଦ୍ଧବୃଦ୍ଧାଙ୍କୁ ଟୀକା ଦେବା ଠାରୁ ଗହଳି ସ୍ଥାନରେ କରୋନା ସଚତେନତା ବାର୍ତା ବାଣ୍ଟି ଚାଲିଛନ୍ତି ଚିନ୍ମୟୀ ।