ମୀରାଙ୍କୁ ବିଜେଡି ଦେଲା ବଡ ଦାୟିତ୍ୱ । ବିଜୁ ମହିଳା ଜନତା ଦଳର ଉପ-ସଭାପତି ଭାବେ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ

1,057

କନକ ବ୍ୟୁରୋ : ବିଜେଡିରେ ମୀରାଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତି ଭାବେ ମୀରାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ଆଉ ପ୍ରଥମ କିନ୍ନର ଭାବେ ଏହି ପଦ ପାଇବାରେ ସକ୍ଷମ ହୋଇଛନ୍ତି ମୀରା ।

ଏହାପୂର୍ବରୁ କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ମୀରା ପରିଡା ଗତ ମାର୍ଚ୍ଚ ୧୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ମୀରାଙ୍କ ସହ ଭାରତର ସର୍ବପ୍ରଥମ କିନ୍ନର ଡ୍ରାଇଭର ମେଘନା ସାହୁଙ୍କ ସମେତ ଅନ୍ୟମାନେ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ । ସେତେବେଳେ ମୀରା ନବୀନଙ୍କୁ ପ୍ରଂଶସା କରିବାକୁ ଯାଇ କହିଥିଲେ, ଏବେ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ରାଜନୈତିକ ଦଳ କିନ୍ନର ସମାଜକୁ ଦଳରେ ସାମିଲ କରିନଥିବା ବେଳେ ବିଜେଡି ଏଥିରେ ବ୍ୟତିକ୍ରମ ସାଜିଥିଲା । ଗତ ୨୦ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ଯେଉଁଭଳି ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ସେଥିରେ ପ୍ରଭାବିତ ହୋଇ ବିଜେଡିରେ ମିଶିଥିବା କହିଥିଲେ ମୀରା ।

ଏହାପୂର୍ବରୁ ଅନ୍ୟ ଜଣେ କିନ୍ନର କାଜଲ ନାୟକଙ୍କୁ କୋରେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଏସପି । ପ୍ରଥମ ଥର ପାଇଁ ରାଜ୍ୟରେ କିନ୍ନର ସମାଜରୁ କେହି ନିର୍ବାଚନକୁ ଓହ୍ଲାଇଥିଲେ । ଗତ ୨୦୧୭ ମସିହାରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ କିନ୍ନର ସମାଜର ବ୍ୟକ୍ତିଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଉ ବୋଲି ପିଟିସନ ଦାୟର କରାଯାଇଥିଲା ।