କନକ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନା ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ଗତ ଶନିବାର ୪ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ ଭଞ୍ଜନଗର ଡିହପଡ଼ା ଅଞ୍ଚଳର ବୀରେନ୍ଦ୍ର ନାୟକଙ୍କ ପତ୍ନୀ ଛବିତା । ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୩ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣକୁ ବୁଧବାର ଶିଶୁଭବନରୁ ଭୁବନେଶ୍ୱରର ଏମ୍ସକୁ ଗ୍ରିନ କରିଡର୍ ବ୍ୟବସ୍ଥା ଭିତରେ ସ୍ଥାନାନ୍ତର କରାଯାଇଛି । ମାତ୍ର ୨୦ ମିନିଟରେ ନବଜାତକକୁ ଏମ୍ସରେ ପହଞ୍ଚାଯାଇଥିଲା ବୋଲି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ଞାନେନ୍ଦ୍ରନାଥ ବେହେରା କହିଛନ୍ତି। ସ୍ଥାନାନ୍ତର ହୋଇଥିବା ଶିଶୁର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା ଓ ଡାକ୍ତରୀଦଳର ପରାମର୍ଶ କ୍ରମେ ତାକୁ ଏମ୍ସ ପଠାଯାଇଛି ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ବେହେରା କହିଛନ୍ତି ।
ସୂଚନାଯୋଗ୍ୟ, ଜନ୍ମଲାଭ କରିଥିବା ୪ଜଣ ଶିଶୁଙ୍କ ନିକଟରେ ଅପରିପକ୍ୱତା ଦେଖିବାକୁ ମିଳିଥିଲା। ପ୍ରଥମ ଶିଶୁର ଓଜନ ୧କିଲୋଗ୍ରାମ ଥିବାବେଳେ ଦ୍ୱିତୀୟ ଶିଶୁର ଓଜନ ୮୦୦ ଗ୍ରାମ, ତୃତୀୟ ଶିଶୁର ଓଜନ ୬୫୦ ଗ୍ରାମ ଓ ଚତୁର୍ଥ ଶିଶୁର ଓଜନ ୪୦୦ ଗ୍ରାମ ରହିଥିଲା । ଶନିବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ସକାଳେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିଲା। ଜୀବିତ ଦୁଇଶିଶୁଙ୍କୁ ପ୍ରଥମେ ଶିଶୁଭବନର ଏସ୍ଏନ୍ସିୟୁରେ ରଖାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଘଟିବାରୁ ପରେ ଆଇସିୟୁକୁ ସ୍ଥାନାନ୍ତର ହୋଇଥିଲେ । ଗତ ୯ ତାରିଖ ତଥା ସୋମବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଶିଶୁର ମୃତ୍ୟୁ ଘଟିଥିଲା । ତେଣୁ ଜୀବିତ ଏକମାତ୍ର ଶିଶୁର ଜୀବନ ବଂଚାଇବା ପାଇଁ ସମସ୍ତ ଉଦ୍ୟମ କରାଯାଉଥିବା ଶିଶୁଭବନ ପକ୍ଷରୁ ସୂଚନା ଦିଆଯାଇଛି ।