ପ୍ରଥମ ଥର ପାଇଁ ରେଡ୍ କାର୍ପେଟରେ ଚାଲିଲେ ଟ୍ରାନ୍ସ ମ୍ୟାନ ଓ ଟ୍ରାନ୍ସ ଓମ୍ୟାନ୍ । ରାଜଧାନୀରେ ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗୀତା -୨୦୨୪ ।

69

କନକ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ ରେଡ୍ କାର୍ପେଟରେ ଚାଲିଲେ ଟ୍ରାନ୍ସ ମ୍ୟାନ ଓ ଟ୍ରାନ୍ସ ଉମେନ । ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ଟ୍ରାନ୍ସ ଜେଣ୍ଡର ଆସୋସିଏସଅନ ମାନଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରର ହୋଇଯାଇଛି ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗୀତା -୨୦୨୪ ।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୫୦ ଜଣ ଟ୍ରାନ୍ସ ଜେଣ୍ଡର ମାନଙ୍କ ମଧ୍ୟରୁ ବ୍ଲାକ କୁଇନ ଜେନା ଟ୍ରାନ୍ସ କୁଇନ ୨୦୨୪ ଓ ସୁମିତ ବେହେରା ଟ୍ରାନ୍ସ ହ୍ୟାଣ୍ଡସମ ର ମୁକୁଟ ପିନ୍ଧିଛନ୍ତି । କୁହାଯାଏ କିନ୍ନର ମାନେ କଳାର ସାଧକ । ସେମାନେ ନିଜ କଳା ପାଇଁ ଉପାସନା ବି କରନ୍ତି । ତେବେ ଦେଖାଯାଇଛି ଟ୍ରାନ୍ସଜେଣ୍ଡର ବା କିନ୍ନରମାନେ ସମାଜରେ ସବୁବେଳେ ଅବହେଳିତ ହୋଇ ଆସିଛନ୍ତି । ସେମାନଙ୍କ ସମସ୍ୟାକୁ ଅନେକ କ୍ଷେତ୍ରରେ ଅଣଦେଖା କରାଯାଇଛି । କିନ୍ତୁ ଏବେ ସମୟ ବଦଳିଛି । ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରି ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଭରପୁର ପ୍ରୟାସ ହେଉଛି । ଏହାରି ଭିତରେ ଏବେ ରୁଚିକା ସମାଜ ମଙ୍ଗଳ ସଂଗଠନ ଏହି ପ୍ରୟାସ ଆରମ୍ଭ କରିଛି । ଏହା ମାଧ୍ୟମରେ ଟ୍ରାନ୍ସ ଜେଣ୍ଡର ଭାଇ ଭଉଣୀମାନଙ୍କ ଅଧିକାରକୁ ସ୍ୱୀକୃତି ମିଳିପାରିବ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ପୋଲିସ ଶାଖାର ଇନିସ୍ପେକଟର ଜେନେରାଲ ଶ୍ରୀମତୀ ଏସ. ସାଇନି ମତବ୍ୟକ୍ତ କରିଛନ୍ତି ।

ଏହା ସହ ଏମିତି କାର୍ଯ୍ୟକ୍ରମ ହେଲେ ଆଗକୁ ସେମାନେ ନିଜ ପାଇଁ ପ୍ଲାଟଫର୍ମ ପାଇବେ ବୋଲି କହିଛନ୍ତି ରୁଚିକା ସମାଜ ମଙ୍ଗଳ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଟ୍ରାନ୍ସ ଜେଣ୍ଡର ମାନଙ୍କପାଇଁ ଭରତପୁର, ଡମଣା ଠାରେ ୨୦୧୯ ମସିହାଠାରୁ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ ସ୍ମାଟ୍ ତାଲିମ୍ କେନ୍ଦ୍ର ଚଲାଇ ବହୁ କିନ୍ନରଙ୍କୁ ତାଲିମ୍ ଦେବା ସହିତ ବିଭିନ୍ନ କରପୋରେଟ୍ କାଯ୍ୟାଳୟରେ ଚାକିରି କରିବାର ସୁଯୋଗ ଦେଇ ଆସୁଛି ।