ଆମେ ଯବାନ ହେବୁ… ଗାଁରେ ଗଢା ହେଉଛନ୍ତି ଯବାନ । ଦେଶ ସେବା ପାଇଁ ଗାଁରେ ମାଗଣାରେ ଦିଆଯାଉଛି ଟ୍ରେନିଂ ।

728

କନକ ବ୍ୟୁରୋ: ଗାଁରେ ଗଢା ହେଉଛନ୍ତି ଦେଶର ଯବାନ । ଭାରତ ମାତାର ସେବା କରିବାକୁ ଭିଟାମାଟିରେ ଚାଲିଛି ପ୍ରଶିକ୍ଷଣ । ଆମେ ଯବାନ ହେବା, ମାଟି ମାଆକୁ ସୁରକ୍ଷା ଦେବା । ସୀମାରେ ଶତ୍ରୁ ସହ ଲଢି ଆମ ଦେଶକୁ ଆମେ ବଞ୍ଚାଇବା । ମନରେ ଦେଶଭକ୍ତି ଭାବନା ନେଇ ଯାଜପୁରରେ ଗଢା ଚାଲିଛି ଭବିଷ୍ୟତର ଯବାନ । ଆଉ ସେନାରେ ସାମିଲ ହୋଇ ଯବାନ ସାଜିବାକୁ ଯୁବକଙ୍କୁ ଟ୍ରେନିଂ ଦେଉଛନ୍ତି ଜଣେ ଅବସରପ୍ରାପ୍ତ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ ।

ସକାଳ ହେବା କ୍ଷଣି ପଡିଆରେ ଲାଗେ ପିଲାଙ୍କ ଭିଡ । ଆଉ ଯାଜପୁର ବ୍ରହ୍ନବରଦା କଲେଜ ପଡିଆର କଅଁଳିଆ ଘାସ ଉପରେ ଚାଲେ ସେନାରେ ସାମିଲ ହେବାକୁ ଅ, ଆ ଶିକ୍ଷା । ଯବାନ ହେବାର ଜୋସ ନେଇ ସକାଳ ୫ଟାରୁ ୭ଟା ଯାଏଁ ଚାଲେ ବ୍ୟାୟାମ, ପ୍ରାଣାୟମ ଏବଂ ଯୋଗ । ସେନାରେ ସାମିଲ ପାଇଁ କେଉଁ ସବୁ ଦିଗ ଉପରେ ଗୁରୁତ୍ୱ ଦେବା ଦରକାର । ଫିଟନେଓ ଫଣ୍ଡା ବୁଝାଇବା ସହ ସାଧାରଣ ଜ୍ଞାନ ବିଷୟରେ ପିଲାଙ୍କୁ ଶିକ୍ଷା ଦିଅନ୍ତି ୬୩ ବର୍ଷୀୟ ଅବସରପ୍ରାପ୍ତ ସେନା ଅଧିକାରୀ ଅକତର ହୁସେନ ଖାନ୍ ।

ସିଆଇଏସଏଫ ଡିଏସପି ଭାବେ ଅବସର ନେବା ପରେ ଏବେ ନିଜ ଗାଁ ଆଜାଦନଗରରେ ରହୁଛନ୍ତି । ନିଜ ଗାଁ ମାଟିର ପିଲାଙ୍କୁ ଯବାନ କରିବାକୁ, ପୋଲିସରେ ସାମିଲ କରିବାକୁ ନିଆରା ଉଦ୍ୟମ କରୁଛନ୍ତି ଅକତର ।
ସୁରକ୍ଷା ବିଭାଗରେ ଦୀର୍ଘ ୩୮ ବର୍ଷର ଅଭିଜ୍ଞତାକୁ ଯୁବକମାନଙ୍କ ମଧ୍ୟରେ ବାଣ୍ଟି ସେମାନଙ୍କୁ ବାଟ ଦେଖାଉଛନ୍ତି । ସବୁଠାରୁ ବଡକଥା ହେଉଛି ଏ ସମସ୍ତ ପ୍ରଶିକ୍ଷଣ ସେ ମାଗଣାରେ ଦେଉଛନ୍ତି ।

ତେବେ ଖାଲି ଆଜାଦନଗର ନୁହେଁ ଆଖପାଖ ଅଞ୍ଚଳରୁ ବି ପିଲବା ଏଠାକୁ ଟ୍ରେନିଂ ନେବାକୁ ଆସୁଛନ୍ତି । ୩୦ରୁ ୩୫ ପିଲା ପ୍ରଶିକ୍ଷଣ ନେଉଥିବା ବେଳେ ଅକତରଙ୍କ ଠାରୁ ଟ୍ରେନିଂ ପାଇ ୧୦ ଜଣ ପିଲା ପୋଲିସ ଓ ସେନାରେ ସାମିଲ ହୋଇଛନ୍ତି । ସମୟ ନଷ୍ଟ ନକରି ଯୁବଗୋଷ୍ଠୀ କେମିତି ଶୃଙ୍ଖଳିତ ହେବେ ସେହି ଲକ୍ଷ୍ୟ ରଖି ନିଜ ଅବସର ସମୟ ପ୍ରଶିକ୍ଷଣରେ ବିତାଉଛନ୍ତି ଏ ନିଆରା ମଣିଷ ।

Comments are closed.