କନକ ବ୍ୟୁରୋ : ଭାରତର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ଋଷିଆରେ ତାଲିମ ନେଉଥିବା ୪ ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ଶେଷ ହୋଇଛି । ଏ ସମ୍ପର୍କରେ ଋଷିଆ ପକ୍ଷରୁ ସରକାରୀଭାବେ ସୂଚନା ଦିଆଯାଇଛି ।ଏହି ୪ ସମ୍ଭାବ୍ୟ ମହାକାଶଚାରୀଙ୍କ ମଧ୍ୟରେ ଓଡ଼ିଶାର ନିଖିଳ ରଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ଗଗନଯାନ ମାଧ୍ୟମରେ ମହାକାଶକୁ ପଠାଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ପାଇଲଟମାନେ ଋଷିଆର ରାଷ୍ଟ୍ରାୟତ୍ତ ମହାକାଶ ସଂସ୍ଥା ରସକସମସରେ ଗତ ୧୧ ମାସ ଧରି ଜେନେରାଲ ସ୍ପେଶ୍ ତାଲିମ ନେଉଥିଲେ । ଏହି ତାଲିମ ଶେଷ ହେବା ପରେ କିଛିଦିନ ତଳେ ରସକସମସର ମହାନିର୍ଦ୍ଦେଶକ ସେମାନଙ୍କୁ ଭେଟିଥିଲେ । ଏହି ଅବସରରେ ମସ୍କୋରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଭେଙ୍କଟେସ ବର୍ମା ମଧ୍ୟ ଉପସ୍ଥିତ ଥିଲେ ।
ଗଗନଯାନ ପ୍ରକଳ୍ପ ଲାଗି କେନ୍ଦ୍ର କ୍ୟାବିନେଟ ପୂର୍ବରୁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ୨୦୧୯ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଗଗନଯାନ ଅଭିଯାନ ଆରମ୍ଭ କରାଯିବ।