ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ ! ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ଠିକ୍ ସମୟରେ ଟ୍ରେନ ପହଞ୍ଚିବାର ଆଶା ଛାଡ଼ି ଦିଅନ୍ତୁ

62

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ଆଉ ଟ୍ରେନ ଗୁଡ଼ିକ ବିଳମ୍ବରେ ପହଞ୍ଚିବ ନାହିଁ କିନ୍ତୁ ଏଥିପାଇଁ ରେଳଯାତ୍ରୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ଟ୍ରେନ ଗୁଡ଼ିକ ଠିକ୍ ସମୟରେ ଷ୍ଟେସନରେ ପହଞ୍ଚିବା ନେଇ ଆଶା ଛାଡ଼ିଦିଅନ୍ତୁ । ଏକଥା ଆମେ କହୁନୁ ବରଂ ରେଳମନ୍ତ୍ରୀ ଟ୍ୱିଟ ପରେ ଏଭଳି କଥା ସାମ୍ନାକୁ ଆସୁଛି । ରେଳମନ୍ତ୍ରୀ ପିୟୁଷ ଗୋଏଲ ଟ୍ୱିଟ୍ କରି କହିଛନ୍ତି, ୨୦୨୦ ସୁଦ୍ଧା ଟ୍ରେନ ଗୁଡ଼ିକ ଠିକ୍ ଗତିରେ ଚଳାଚଳ କରିବା ସହ ଠିକ୍ ସମୟରେ ଷ୍ଟେସନରେ ପହଞ୍ଚିବ । ଅଥାର୍ତ ଆଗାମୀ ଦୁଇବର୍ଷ ମଧ୍ୟରେ ଟ୍ରେନ ଗୁଡ଼ିକର ବିଳମ୍ବରେ ପହଞ୍ଚିବା କ୍ଷେତ୍ରରେ କୌଣସି ସୁଧାର ଆସିବ ନାହିଁ । ଏବେ ଅଧିକାଂଶ ରେଳଧାରଣାର ମରାମତି ଓ ରକ୍ଷାଣବେକ୍ଷଣ ଚାଲିଛି । ଏହାଛଡ଼ା ମାଲବାହୀ ଟ୍ରେନ ପାଇଁ ଡ଼େଡ଼ିକେଟେଡ଼ ଫ୍ରେଟ କରିଡ଼ର ନିର୍ମାଣ ହେବା ପରେ ଟ୍ରେନ ଗୁଡ଼ିକ ଠିକ୍ ସମୟରେ ଷ୍ଟେସନରେ ପହଞ୍ଚିପାରିବ ।

ପୂର୍ବରୁ ରେଳ ମନ୍ତ୍ରଣାଳୟ ଟ୍ରେନ ଚଳାଚଳର ସମୟ ଉପରେ ଏକ ରିପୋର୍ଟ ଜାରି କରିଥିଲା । ଏହି ରିପୋର୍ଟ ଅନୁଯାୟୀ, ୨୦୧୭-୧୮ରେ ଦେଶରେ ଚଳାଚଳ କରିଥିବା ଟ୍ରେନର ଏକ ତୃତୀୟାଂଶ ଟ୍ରେନ ବିଳମ୍ବରେ ଚାଲୁଥିଲା । ରିପୋର୍ଟ ଅନୁଯାୟୀ, ୨୦୧୭ ମାର୍ଚ୍ଚରୁ ୨୦୧୮ ମଧ୍ୟରେ ଭାରତୀୟ ରେଳ ବିଭାଗର ୭୧.୩୯ ପ୍ରିତଶତ ଟ୍ରେନ ଠିକ୍ ସମୟରେ ଚଳାଚଳ କରିଥିଲା । ବାକି ଟ୍ରେନ ଗୁଡ଼ିକ ବିଳମ୍ବରେ ଚଳାଚଳ କରିଛି । ରେଳଧାରଣାର ମରାମତି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ ଗୁଡ଼ିକ ବିଳମ୍ବରେ ଆସୁଥିବା ରିପୋର୍ଟରେ ପ୍ରକାଶ ପାଇଥିଲା ।