ଓଡିଆ ଭାଷାରେ ଟ୍ରେନ୍ ଟିକେଟ୍ ! ଆସନ୍ତାକାଲିଠୁ ନୁହେଁ ନିର୍ବାଚନ ପରେ ହେବ ଉପଲବ୍ଧ । 

116

ଆସନ୍ତାକାଲି ଉତ୍କଳ ଦିବସ । ଆଉ ଏହି ଦିନରୁ ଅର୍ଥାତ ଏପ୍ରିଲ ପହିଲାରୁ ଓଡିଆ ଭାଷାରେ ଟ୍ରେନ୍ ଟିକେଟ୍ ଉପଲବ୍ଧ ହେବ ବୋଲି ରେଳବାଇ ପୂର୍ବରୁ ଘୋଷଣା କରିଥିଲା । କିନ୍ତୁ ଏବେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ ଶେଷ ହେବା ପରେ ଏହା ଆରମ୍ଭ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ଗତ ୮ ତାରିଖରେ ରେଳ ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଇଂରାଜି ଓ ହିନ୍ଦୀ ଭାଷାରେ ରେଳ ଟିକେଟ ଛପାଯାଉଥିବାରୁ ଅଧିକାଂଶ ଓଡ଼ିଆ ଲୋକ ଟ୍ରେନ୍ ଟିକେଟରେ ଲେଖାଥିବା ଆରୋହଣ ଓ ଗନ୍ତବ୍ୟ ସ୍ଥଳ ଜାଣିବାରେ ଅସୁବିଧା ଭୋଗୁଥିଲେ । ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ସବୁ ଅଣସଂରକ୍ଷିତ ଟିକେଟ ଗୁଡ଼ିକ ହିନ୍ଦୀ, ଇଂରାଜି ଭାଷା ବ୍ୟତୀତ ଆଞ୍ଚଳିକ ଭାଷା ଓଡ଼ିଆରେ ଛାପିବାକୁ ନିଷ୍ପତ୍ତି ନେଇଛି । ଫଳରେ ଇଂରାଜି ଓ ହିନ୍ଦୀ ଜାଣିନଥିବା ଯାତ୍ରୀଙ୍କୁ ଆଉ ଟ୍ରେନ୍ ଟିକେଟ ବିଷୟରେ ଜାଣିବାର ଅସୁବିଧା ହେବନାହିଁ । ଏଥିପାଇଁ ପୂର୍ବତଟ ରେଳବାଇର ଉଦ୍ୟମରେ କୋଲକାତା ସ୍ଥିତ କ୍ରିସ ସହାୟତାରେ ଏକ ଡାଟାବେସ ପ୍ରସ୍ତୁତ କରାଯାଇ ୮ ହଜାର ଷ୍ଟେସନ ଗୁଡ଼ିକର ନାମ ଓଡ଼ିଆରେ ଛପା ସରିଛି । ଓଡ଼ିଶାରେ ଉପଲବ୍ଧ ହେବାକୁ ଥିବା ଅଣସଂରକ୍ଷିତ ଟିକେଟ ଗୁଡ଼ିକ ଓଡ଼ିଆ ଭାଷାରେ ଲେଖାହେବ । ସେହିପରି ୩୧୭ଟି ଷ୍ଟେସନର ନାମକୁ ଓଡ଼ିଆରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି ।