ଟ୍ରେନ୍ ସୁପରିନଟେଣ୍ଡେଂଟଙ୍କୁ କରୋନା: ରାଜ୍ୟର ଜଣେ ଟ୍ରେନ ସୁପରିନଟେଣ୍ଡେଂଟଙ୍କଠାରେ କରୋନା ଚିହ୍ନଟ; ଟ୍ରେନରେ ସାମାଜିକ ଦୂରତା ରକ୍ଷା କରାଯାଉ ନଥିବା ନେଇ ନିଜ ପ୍ରତିକ୍ରିୟାରେ କହିଲେ

ସେପଟେ, ରାଜ୍ୟରେ ପ୍ରଥମ ଡାକ୍ତର କରୋନା ପଜିଟିଭ୍; କଟକ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞଙ୍କଠାରେ ଭୂତାଣୁ ଚିହ୍ନଟ; ସଂସ୍ପର୍ଶରେ ଆସିଥିବା ୪୩ ଜଣଙ୍କ ଆଜି ହେବ କୋଭିଡ୍ ପରୀକ୍ଷା

283

କନକ ବ୍ୟୁରୋ: ଟ୍ରେନ୍ ସୁପରିନଟେଣ୍ଡେଂଟଙ୍କୁ କରୋନା । ରାଜ୍ୟର ଜଣେ ଟ୍ରେନ ସୁପରିନଟେଣ୍ଡେଂଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧୭ ତାରିଖରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନରେ ସେ ଦିଲ୍ଲୀ ଯାଇଥିଲେ । ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା । ଟେଷ୍ଟ କରିବା ପରେ ତାଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ଟ୍ରେନରେ ସାମାଜିକ ଦୂରତା ରକ୍ଷା କରାଯାଉ ନଥିବା ବେଳେ ବ୍ୟକ୍ତିଗତ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉ ନଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଏପଟେ ଡାକ୍ତରଙ୍କୁ କରୋନା । କଟକର ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିବା ଏହି ଡାକ୍ତରଙ୍କ ନମୁନାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଡାକ୍ତର ଜଣକ ଗତ କିଛି ଦିନ ଧରି ଜ୍ୱରରେ ପୀଡିତ ଥିଲେ । ତାଙ୍କ ନମୁନା ପରୀକ୍ଷା କରାଯିବା ପରେ ସେ କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି । ସେପଟେ ସଂପୃକ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ମୋଟ ୪୩ ଜଣ ଆସିଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରେ ଡାକ୍ତରଙ୍କ ପତ୍ନୀ ଏବଂ ଅନ୍ୟମାନେ ରହିଛନ୍ତି । ସମସ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୬ ଜଣ ଡାକ୍ତରଙ୍କୁ ମିଶାଇ ମୋଟ ୨୦ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି ।

ସମସ୍ତଙ୍କୁ କ୍ୱାରେଂଟିନରେ ପଠାଯାଇଛି । ଡାକ୍ତର ଜଣକ ରହୁଥିବା ସିଡିଏ ସେକ୍ଟର -୬ ଅଂଚଳରୁ ୨୩ ଜଣ ପଡୋଶୀଙ୍କୁ ଚିହ୍ନଟ କରାଯାଇଛି । ଆଜି ସେମାନଙ୍କ ସ୍ୱାବ ନମୁନା ସଂଗ୍ରହ କରାଯିବ । ରାଜ୍ୟରେ ପ୍ରଥମ ଡାକ୍ତର, କରୋନା ଆକ୍ରାନ୍ତ ହୋଇଥିବା ବେଳେ ଚିନ୍ତା ବଢିଛି । ଗତ କିଛି ଦିନ ଭିତରେ ସେ ଅନେକ ଶିଶୁ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ ସ୍ୱାଭାବିକ ଭାବେ ବିଭିନ୍ନ ଲୋକଙ୍କ ସହ ମିଶିଥିବାରୁ ଏହାକୁ ନେଇ କଟକରେ ଆତଙ୍କ ସୃଷ୍ଟି ହୋଇଛି । ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସିଟି ହସପିଟାଲ ପେଡିଆଟ୍ରିକ ବିଭାଗ ଆଉଟଡୋରକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଉଭୟ ଇନଡୋର ଓ ଆଉଟଡୋରକୁ ବିଶୋଧନ କରାଯାଇଛି ।