ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ: ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଗଡିବ ରାଜଧାନୀ ଏକ୍ସପ୍ରେସ୍; ଷ୍ଟେସନରେ ଯାତ୍ରୀଙ୍କର କରାଯାଉଛି ସ୍କ୍ରିନିଂ, କେବଳ ଲକ୍ଷଣ ନଥିବା ଯାତ୍ରୀ କରିବେ ଯାତ୍ରା

ଆଜି ଦେଶରେ ଗଡିବ ୨୦୦ ପାସେଞ୍ଜର ଟ୍ରେନ୍

1,004

କନକ ବ୍ୟୁରୋ: ଆଜି ଠାରୁ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ । ପ୍ରାଥମିକ ଭାବେ ଦେଶରେ ୨୦୦ ପାସେଞ୍ଜର ଟ୍ରେନ ଚଳାଇବ ଭାରତୀୟ ରେଳ ବିଭାଗ । ଏହି କ୍ରମରେ ଆଜି ଭୁବନେଶ୍ୱରରୁ ଆରମ୍ଭ ହେଉଛି ଟ୍ରେନ୍ ସେବା । ଦିନ ୧୦ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଗଡିବ ଟ୍ରେନ୍ । କେବଳ ଲକ୍ଷଣ ନଥିବା ଯାତ୍ରୀମାନେ ଟ୍ରେନ୍ରେ ଯାତ୍ରା କରିପାରିବେ । ଏଥିପାଇଁ ଷ୍ଟେସନ ଭିତରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କର ସ୍କ୍ରିନ୍ କରାଯାଉଛି । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ସେପଟେ ପ୍ରଥମ ଦିନରେ ଦେଶରେ ପ୍ରାୟ ୧ଲକ୍ଷ ୪୫ ହଜାର ଯାତ୍ରୀ ଟ୍ରେନରେ ଯାତ୍ରା କରିବେ ।

ଖାଲି ସେତିକି ନୁହେଁ ଜୁନ ୧ତାରିଖରୁ ଜୁନ ୩୦ ତାରିଖ ମଧ୍ୟରେ ୨୬ଲକ୍ଷ ପାସେଞ୍ଜର ରିଜରଭେସନ ପାଇଁ ଆଗୁଆ ବୁକିଂ କରିଥିବା ସୂଚନା ମିଳିଛି । ମେ ୧୨ ତାରିଖରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଏବଂ ୩୦ଟି ସ୍ପେଶାଲ ଏସି ଟ୍ରେନ ବାଦ ଏହି ୨୦୦ଟି ସ୍ୱତନ୍ତ୍ର ଟ୍ରେନ ଗଡିବାକୁ ଯାଉଛି । ତେଣୁ ପୂର୍ବରୁ ମିଳୁଥିବା ରେଳ ସେବାରେ ଆଜି ଗଡ଼ିବାକୁ ଥିବା ଟ୍ରେନ ସାମିଲ ହେବାକୁ ଯାଉଛି । ଏହା ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । କାରଣ ତାଲା ବନ୍ଦ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀମାନେ ଅଟକି ରହିଛନ୍ତି । ଆଉ ସେମାନେ ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏବଂ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଫେରିବା ପାଇଁ ଅପେକ୍ଷା କରି ବସିଛନ୍ତି ।