ଆଗକୁ ଗଡିବା ପରିବର୍ତ୍ତେ ୩୫ କିଲୋମିଟର ପଛକୁ ଦୌଡିଲା ଟ୍ରେନ୍ । ଲୋକେ ଦେଖି ହୋଇଗଲେ କାବା

434

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଟନକପୁର ରେଳ ଲାଇନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଦିଲ୍ଲୀରୁ ଟନକପୁର ଯାଉଥିବା ପୂର୍ଣ୍ଣଗିରୀ ଜନଶତାବ୍ଦି ଟ୍ରେନ୍ ଓଲଟା ଦିଗରେ ପାଖା ପାଖି ୩୫ କିଲୋମିଟର ଦୌଡିଥିବା ଦେଖିବାକୁ ମିଳିଛି । ଟ୍ରେନଟି ଓଲଟା ଦିଗରେ ଚାଲୁଥିବା ଜାଣିବା ପରେ ଲୋକପାଇଲଟ୍ ଏହାକୁ ଅଟକାଇଥିଲେ ।

ସୂଚନା ମୁତାବକ ପୂର୍ଣ୍ଣଗିରୀ ଜନଶତାବ୍ଦି ଟ୍ରେନଟି ଟନକପୁର ଷ୍ଟେସନ ନିକଟରେ ପହଂଚିବା ପୂର୍ବରୁ ଏକ ଗାଈ ଟ୍ରେନ ଆଗକୁ ଚାଲିଆସିଥିଲା । ଡ୍ରାଇଭର ବ୍ରେକ୍ ଲଗାଇ ଭେକୁଲ ରିଲିଜ କରିବା ପରେ ଅଚାନକ ଟ୍ରେନଟି ବିପରିତ ଦିଗରେ ଦୌଡିବାକୁ ଆରମ୍ଭ କରିଥିଲା ।
ଟ୍ରେନଟି ଓଲଟା ଦିଗରେ ଦୌଡିବାକୁ ଟ୍ରେନରେ ଥିବା ଯାତ୍ରୀ ମାନେ ଭୟଭିତ ହୋଇପଡିଥିଲେ । ବହୁ କଷ୍ଟରେ ଟ୍ରେନଟିକୁ ଖଟିମା ଷ୍ଟେସନ ଠାରେ ରୋକା ଯାଇଥିଲା । ଏହାପରେ ଯାତ୍ରୀ ମାନଙ୍କୁ ସେଠାରେ ଉହ୍ଲାଇ ବସ୍ ଯୋଗେ ଟନକପୁର ଷ୍ଟେସନକୁ ପଠାଯାଇଥିଲା ।

ଏନେଇ ଚମ୍ପାବତ୍ ପୋଲିସ ଅଧିକ୍ଷକ ଲୋକେଶ୍ୱର ସିଂ କହିଛନ୍ତି କି ଏକ ପଶୁକୁ ରକ୍ଷା କରିବାକୁ ଯାଇ ଅଚାନକ୍ ବ୍ରେକ୍ ଲଗାଇବାରୁ ଟ୍ରେନଟି ଓଲଟା ଦିଗରେ ଚାଲିବାକୁ ଆରମ୍ଭ କରିଥିଲା । ଏହି ଖବର ପାଇବା ପରେ ପିଲିଭିତ ରେଳ ବିଭାଗର ଏକ ଟେକନିକାଲ୍ ଟିମ୍ ଖଟିମା ଷ୍ଟେସନରେ ପହଂଚି ଘଟଣାର ଯାଂଚ କରୁଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।