ଭଗବାନ ଭରସାରେ ଭାରତୀୟ ରେଳ, ବାଟବଣା ହେଲା ଟ୍ରେନ ! ବିନା ଇଞ୍ଜିନରେ ଗଡିଲା ପୁରୀ-ଅହମଦାମାଦ ଏକ୍ସପ୍ରେସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

36

କନକ ବ୍ୟୁରୋ : ଭଗବାନ ଭରସାରେ ଭାରତୀୟ ରେଳ । ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଟ୍ରେନ ବିନା ଇଞ୍ଜିନରେ ୧୩ କିଲୋମିଟର ଗଡିଯିବା ଘଟଣାରେ ଆରମ୍ଭ ହୋଇଛି ତନାଘନା । ଅବହେଳା ପାଇଁ ୭ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ୱାଗନ କ୍ୟାରେଜର ୩ଜଣ ଓ ସେନଟ୍ରି ଡିପାର୍ଟମେଂଟର ୨ଜଣଙ୍କ ସମେତ, ସ୍କିଡବ୍ରେକ ଲଗାଇବାକୁ ଭୁଲିଯାଇଥିବା ୨ ଲୋକମୋଟିଭ ପାଇଲଟଙ୍କୁ ସସପେଣ୍ଡ କରିଛି ରେଳବାଇ । ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି, କିଭଳି ଏତେବଡ ତ୍ରୁଟିହେଲା ତାର ଛାନଭିନ ଆରମ୍ଭ କରିଛନ୍ତି । ଦୁଇଦିନ ଭିତରେ ରିପୋର୍ଟ ଦେବାପାଇଁ କୁହାଯାଇଛି । ଆଉ ଏହାଭିତରେ ବିସ୍ମୟ ସୃଷ୍ଟି କରିଛି ରେଳମନ୍ତ୍ରାଳୟର ନୀରବତା । ରେଳବାଇର ସାଂଘାତିକ ଭୁଲ ଯୋଗୁଁ ଯେଉଁଠି ୧୪ଶହ ଯାତ୍ରୀଙ୍କ ଜୀବନ ବିପଦ ଭିତରକୁ ଠେଲି ହୋଇଯାଇଥିଲା ସେଠି ରେଳମନ୍ତ୍ରାଳୟ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଷ୍ଟେସନ ଆଡକୁ ଘନ ଅନ୍ଧାରରେ ମାଡ଼ି ଚାଲିଥିଲା ଏକ ଇଂଜିନ ବିହୀନ ଟ୍ରେନ । ଅହମ୍ମଦାବାଦରୁ ପୁରୀ ଅଭିମୁଖେ ବାହାରିଥିବା ଟ୍ରେନ ନଂ- ୧୮୪୦୬ ଟିଟିଲାଗଡ ଷ୍ଟେସନରୁ ବିନା ଇଂଜିନରେ ମାଡି ଆସୁଥିବାର ଖବର ପହଂଚି ସାରିଥିଲା । ଆଉ ସେଥିପାଇଁ ଖାଲି କରାଯାଉଥିଲା ଟ୍ରାକ । ବିନା ଇଂଜିନରେ ଟ୍ରେନର ଗୋଟିଏ ପରେ ଗୋଟିଏ ୨୨ଟି ବଗି ଷ୍ଟେସନ ଅତିକ୍ରମ କରି ଆଗକୁ ବଢୁଥିଲା । ଘଂଟାପ୍ରତି ୩୦ରୁ ୩୫ କିଲୋମିଟର ବେଗରେ ଗଡୁଥିବା ଇଞ୍ଜିନ ବିହୀନ ଟ୍ରେନରେ ଯାତ୍ରୀଙ୍କ ଅବସ୍ଥା କିଭଳି ଥିବ ତାହା ସହଜରେ ଅନୁମାନ ବାରି ହେଉ ପଡୁଥିଲା । ଏପରିକି ଦୁର୍ଘଟଣା ରୋକିବାକୁ ଷ୍ଟେସନରେ ଲୋକେ ପାଟିକରି କହୁଥାନ୍ତି ଚେନ୍ ଟାଣିବାକୁ । କିନ୍ତୁ ଏହା ବୋଧହୁଏ କାହା କାନରେ ବାଜି ନଥିଲା ।

ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଶନିବାର ରାତି ପ୍ରାୟ ସାଢେ ୯ଟାରେ ବଲାଙ୍ଗିର ଜିଲ୍ଲା ଟିଟଲାଗଡ ଷ୍ଟେସନରେ ପହଂଚିଥିଲା । ଟ୍ରେନର ଡ୍ରାଇଭର ଇଞ୍ଜିନ ପରିବର୍ତନ କରୁଥିଲେ । ଆଉ ସ୍କିଡବ୍ରେକ ଲଗାଯାଇ ନଥିବାରୁ ଇଞ୍ଜିନ ସଂଯୋଗ ହେଲାବେଳେ ବଗି ସହ ଧକ୍କା ଖାଇ ଏହା ବିପରିତ ଦିଗରେ ଗଡିବା ଆରମ୍ଭ କରିଥିଲା । ଟ୍ରେନ ସମ୍ବଲପୁର ଅଭିମୁଖେ ଯାଇଥାନ୍ତା କିନ୍ତୁ କେସିଙ୍ଗା ଷ୍ଟେସନ ଆଡକୁ ଗତି କରିଥିଲା । ଗଡାଣିଆ ଟ୍ରାକରେ ଧିରେଧିରେ ଇଞ୍ଜିନ ବିହୀନ ଟ୍ରେନର ଗତିି ବି ବଢିଥିଲା ।

ଯାତ୍ରୀଙ୍କ ଭିତରେ ଖେଳିଯାଇଥିଲା ଆତଙ୍କ । କାରଣ ନିୟନ୍ତ୍ରଣରେ ନଥିବା ଟ୍ରେନର ୨୨ଟି ବଗି ଟ୍ରାକରୁ ଓହ୍ଲାଇ ପଡିବାର ଥିଲା ଯଥେଷ୍ଟ ସମ୍ଭାବନା । ସମାନ ଟ୍ରାକରେ ବିପରିତ ଦିଗରୁ ଟ୍ରେନ ଆସୁଥିଲେ ଧକ୍କା ଖାଇବାର ଆଶଙ୍କା ମଧ୍ୟ ବଢିଯାଇଥିଲା । ଯାତ୍ରୀଙ୍କ କାନ୍ଦବୋବାଳି ଓ କୋଳାହଳ ଭିତରେ ଅତ୍ୟନ୍ତ ବିପଦସଂକୂଳ ଅବସ୍ଥାରେ ଟ୍ରେନ ଅତିକ୍ରମ କରିଥିଲା ତେଲ ନଦୀ ପୋଲ । ସ୍ୱଭାଗ୍ୟରୁ ବର୍ତ୍ତି ଯାଇଥିଲେ ଟ୍ରେନରେ ସବାର ଯାତ୍ରୀ । ଏମିତିି ଟ୍ରେନ ଆଗକୁ ବଢି ଚାଲିଥିଲା ଆଉ ତାକୁ ଅଟକାଇବା ସମ୍ଭବ ନଥିଲା । ହେଲେ କେସିଙ୍ଗା ଷ୍ଟେସନ ପରେ ଆଗକୁ ଚଢାଣିଆ ଥିବାରୁ ପୁଣି ଟ୍ରାକରେ ପଛକୁ ଫେରିଥିଲା ଏହି ଇଞ୍ଜିନ ବିହୀନ ଟ୍ରେନ । ଯେଉଁଠି ତାକୁ ଅଟକାଇବା ସମ୍ଭବ ହୋଇଥିଲା ।

ବିନା ଇଞ୍ଜିନରେ ପାଖାପାଖି ୧୩ କିଲୋମିଟର ଗଡିଲା ଯାତ୍ରୀଭର୍ତି ଟ୍ରେନ । ତାହା ପୁଣି ୩୦ରୁ ୩୫ କିଲୋମିଟର ବେଗରେ । ଇଂଞ୍ଜିନ ବଦଳ ସମୟରେ ଟ୍ରେନ ଚକାରେ ସ୍କିଡବ୍ରେକ ଲଗାଇବାକୁ ଭୁଲିଯାଇଥିଲେ ରଳେ କର୍ମଚାରୀ । ଯେଉଁଥିପାଇଁ ୧୪ଶହ ଜଣ ଯାତ୍ରୀ ବସିଥିବା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଏତେବଡ ବିପଦ ଭିତରକୁ ଠେଲି ହୋଇଯାଇଥିଲା ।