ଉଗ୍ର ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’ ! ରେଳସେବା, ବିଭିନ୍ନ ପରୀକ୍ଷା ବାତିଲ୍ ସହ ନନ୍ଦନକାନନ ବନ୍ଦ କରିବା ପାଇଁ କର୍ତ୍ତୁପକ୍ଷଙ୍କ ନିଷ୍ପତି ।

812

କନକ ବ୍ୟୁରୋ: ନିଦ ହଜାଇଛି ସାମୁଦ୍ରିକ ଝଡ଼ ‘ଫୋନି’ । ଓଡ଼ିଶା ମୁହାଁ ହୋଇଥିବା ଏହି ପ୍ରଳୟଙ୍କାରୀ ବାତ୍ୟା ପାଇଁ ଆସନ୍ତା କାଲି ସନ୍ଧ୍ୟା ପରଠାରୁ ଟ୍ରେନ ସେବା ବାତିଲ କରାଯିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ କର୍ତ୍ତୁପକ୍ଷ । ତେବେ ଯାତ୍ରୀମାନେ ଏହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ ଆଜି ସନ୍ଧ୍ୟାରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଉକ୍ରଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ପରୀକ୍ଷା ବାତିଲ କରାଯାଇଛି । ‘ଫୋନି’ ଓଡ଼ିଶା ମୁହାଁ ହୋଇଥିବାରୁ ୨, ୩ ଓ ୪ ତାରିଖରେ ହେବାକୁଥିବା ପରୀକ୍ଷା ବାତିଲ କରିବାକୁ ନିଷ୍ପତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ । ସେହିପରି ବିପିୟୁଟି ଅଧିନରେ ଥିବା ୧୪୬ଟି କଲେଜରେ ହେବାକୁଥିବା ସମସ୍ତ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସେହି ମର୍ମରେ ଆସନ୍ତା ୨୫, ୨୭ ଓ ୨୮ ତାରିଖରେ ଏହି ପରୀକ୍ଷା ଗୁଡ଼ିକ କରାଯିବ ବୋଲି ବିପିୟୁଟି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟପଟେ ‘ଫୋନି’ ପ୍ରଭାବରୁ ବାଦ୍ ପଡି ନାହିଁ ପର୍ଯ୍ୟଟନସ୍ଥଳୀ । ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ମଧ୍ୟ ‘ଫୋନି’ ଭୟରେ ବନ୍ଦ କରାଯାଇଛି । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ ରହିବା ନେଇ ଉପନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି । ବାତ୍ୟା ସମ୍ଭାବନା ଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ବନ୍ଦ ରହିବ ।