ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ: ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ

113

କନକ ବ୍ୟୁରୋ: ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ୍ । ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା । ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରେଳ ନିରାପତା କମିଶନର ବ୍ରିଜେଶ କୁମାର ଲାଇନ୍ ଅନୁଧ୍ୟାନ କରି ଫେରିବାର କିଛି ଘଂଟା ପରେ ଅଘଟଣ ଘଟିଥିବା ସୂଚନା ମିଳିଛି ।

ରେଳ ଧାରଣା ଉପରେ ପଡି ରହିଛି ଦୁଇଟି ମୃତଦେହ । ଆଉ ଗୋଟିଏ ମୃତଦେହକୁ କୋଟିଏ ଟଙ୍କା ନଦେଲେ ଛାଡିବାକୁ ନାରାଜ ପରିବାର ଓ ଗ୍ରାମବାସୀ । ଅଭିଯୋଗ ହେଉଛି, ବିନା ଘୋଷଣାରେ ଟ୍ରେନ ଟ୍ରାକ ଦେଇ ସ୍ପିଡ୍ ମେକର ଟ୍ରାଏଲ ଇଞ୍ଜିନ ଆସିଥିଲା । ଏତିକିବେଳେ ଟ୍ରାକରେ ବସିଥିବା ଦୁଇଜଣଙ୍କ ଉପରେ ମାଡି ଯିବାରୁ ମୃତ୍ୟୁ ହେଲା । ମୃତକ ହେଲେ ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଦେବଦଲଗୁଡା ଗାଁର କାଂଶିିରାଓ ପୁଲାକା ଏବଂ ଶିବା କାଡ୍ରାକା । ଘଟଣାକୁ ନେଇ ପ୍ରବଳ ଉତେଜନା ପ୍ରକାଶ ପାଇଛି । ମୃତଦେହ ଉଠାଇବାକୁ ଦେଇ ନାହାନ୍ତି ଉତ୍ୟକ୍ତ ଗ୍ରାମବାସୀ ।

ରାୟଗଡା-ଜେକେପୁର ମଧ୍ୟରେ ତୃତୀୟ ରେଳଲାଇନ ନିର୍ମାଣ ପରେ ଗତକାଲି ଟ୍ରାଏଲରନ୍ ବେଳେ ଘଟିଛି ଏହି ଅଘଟଣ । କୁହାଯାଉଛି ରେଳ ନିରାପତା କମିଶନର ବ୍ରିଜେଶ କୁମାର ବୁଧବାର ସକାଳେ ଏହି ରେଳ ଲାଇନର ଅନୁଧ୍ୟାନ କରି ଫେରିବାର କିଛିଘଂଟା ମଧ୍ୟରେ ଅଘଟଣ ହୋଇଥିଲା । ରେଳ ଧାରଣାର ଉଭୟ ପଟରେ ସ୍ଥାନୀୟ ଲୋକଙ୍କ ଜମି ରହିଛି । ତେଣୁ ଚାଷ ଜମିକୁ ଯାଇ ଉଭୟ ରେଳ ଧାରଣାରେ ବସିରହିଥିଲେ । ନୂଆ ରେଳ ଲାଇନରେ ଟ୍ରେନ ଆସିବା ନେଇ କୌଣସି ସୂଚନା ନଥିଲା । ତେଣୁ ଏହି ଅଘଟଣ ପାଇଁ ରେଳବାଇକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ ।

ଦୀର୍ଘସମୟ ଧରି ମୃତଦେହ ରଖି ଆନ୍ଦୋଳନ ପରେ ବୁଝାସୁଝା କରିଥିଲା ପ୍ରଶାସନ । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ ପାଇଁ ପ୍ରତିଶ୍ରୁତି ପରେ ହଟିଛି ଆନ୍ଦୋଳନ । ରେଳବାଇ ପକ୍ଷରୁ ୩ଲକ୍ଷ ଓ ରେଡକ୍ରସ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଜରିଆରେ ୧ ଲକ୍ଷ ଟଙ୍କା ଅନୁକମ୍ପା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।