କନକ ବ୍ୟୁରୋ : ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ କାରଣରୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ଆରମ୍ଭରୁ କେବଳ ମାଲବାହୀ ଟ୍ରେନ୍‌ ଚାଲିଥିବା ବେଳେ ପରେ ମେ’ ମାସ ୧ ତାରିଖ ଠାରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଆରମ୍ଭ ହୋଇଥିଲା । କିଛି ଅନ୍ୟ ସ୍ୱତନ୍ତ୍ର ଟ୍ରେନ୍‌ ମଧ୍ୟ ରେଳଧାରଣାରେ ଗଡ଼ିଥିଲା । କିନ୍ତୁ ଏବେ ରେଳବାଇ ବୋର୍ଡ ନିଷ୍ପତ୍ତି ନେଇଛି ଯେ, ଆସନ୍ତା ଅଗଷ୍ଟ ୧୨ ଯାଏଁ ନିୟମିତ ଭାବେ ଚାଲୁଥିବା ସମସ୍ତ ମେଲ, ଏକ୍ସପ୍ରେସ, ଯାତ୍ରୀ ଓ ଇଣ୍ଟରସିଟି ସେବା ବନ୍ଦ ରହିବ । ଏଥି ସହିତ ରେଳବାଇ ବୋର୍ଡ ନିର୍ଦ୍ଧାରଣ କରିଛି ଯେ, ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏଁ ଯାତ୍ରା ପାଇଁ ବୁକ ହୋଇଥିବା ସମସ୍ତ ଟିକେଟ ବାତିଲ ରହିବ ।

Advertisment

ଭାରତୀୟ ରେଳବାଇ ନିୟମିତ ଟ୍ରେନ ପାଇଁ ଏପ୍ରିଲ ୧୪ ଅଥବା ଏହା ପୂର୍ବରୁ ବୁକ ହୋଇଥିବା ସମସ୍ତ ଟିକେଟ ବାତିଲ କରିବାକୁ ଘୋଷଣା କରିଛି । ଏଥି ସହିତ ଏହି ଟିକେଟର ପୂରା ଫେରସ୍ତ ଦେବାକୁ କହିଛି । ରେଳବାଇ ବୋର୍ଡ କହିଛି ଯେ, ରେଳ ମନ୍ତ୍ରାଳୟ ଏହା ନିର୍ଦ୍ଧାରଣ କରିଛି ଯେ, ନିୟମିତ ଟେନ ଲାଗି ୨୦୨୦ ଏପ୍ରିଲ ୧୪ ପର୍ଯ୍ୟନ୍ତ ତଥା ଏହା ପୂର୍ବରୁ ବୁକ ହୋଇଥିବା ଟ୍ରେନ ଟିକେଟ ବାତିଲ କରାଯାଇଛି । ଏହି ଟିକେଟର ପୂରା ରାଶି ଫେରସ୍ତ କରାଯିବ ।