ଟ୍ରାଇ ଆଣୁଛି ନୂଆ ଫିଚର । ଫୋନରେ ଆଉ ଦରକାର ପଡିବନି ଟ୍ରୁ-କଲର୍ ଆପ୍

528

କନକ ବ୍ୟୁରୋ: ଯଦି ଆପଣଙ୍କୁ କିଛି ଅଜଣା ନମ୍ବରରୁ କଲ୍ ଆସୁଛି । ସେଭ୍ ନ ହେଇଥିବା ନମ୍ବରରୁ ଫୋନ୍ ଆସୁଛି । ତେବେ ଏହାକୁ ଜାଣିବା ପାଇଁ ଅନେକ ଲୋକ, ତାଙ୍କ ସ୍ମାର୍ଟଫୋନରେ ଟ୍ରୁ-କଲର ଆପ୍ ୟୁଜ୍ କରିଥାନ୍ତି । ଯାହା ଫଳରେ ସେଭ୍ ହେଇନଥିବା ନମ୍ବରରୁ କଲ୍ ଆସିଲେ ବି ସେଥିରେ ନାଁ ଦେଖିହୁଏ । ହେଲେ ୟୁଜର୍ସଙ୍କ ଏହି ସମସ୍ୟା ଏବେ ଖୁବଶୀଘ୍ର ଦୂର ହେବାକୁ ଯାଉଛି । ବିନା କୌଣସି ଆପରେ ବି ଏବେ ଲୋକମାନେ ଏବେ ଅଜଣା ନମ୍ବରରୁ ଆସୁଥିବା କଲ୍ ଜାଣିପାରିବେ ।

ଟ୍ରୁ-କଲର ଆପ୍ ଭଳି ଏବେ ମୋବାଇଲ୍ ୟୁଜର୍ସ ସେମାନଙ୍କ ଫୋନରେ ହିଁ ଏହି ସୁବିଧା ପାଇପାରିବେ । ଏଥିପାଇଁ ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯେଉଁଥିରେ ଅଜଣା ନମ୍ବର ବା ସେଭ୍ ହୋଇନଥିବା ନମ୍ବରରୁ କଲ୍ ଆସିଲେ ବି କଲ୍ କରିଥିବା ଲୋକର ନାଁ ମୋବାଇଲରେ ଦେଖିହେବ । ଟ୍ରୁ-କଲରରେ ଜଣେ ୟୁଜର୍ସ ଯେଉଁ ନାଁ, ସେଭ କରିଥାଏ । କୌଣସି ନମ୍ବରକୁ କଲ୍ କଲେ ତାର ସେହି ନାଁ ହିଁ ଦେଖାଯାଇଥାଏ । ସେହି ଉପାୟରେ ଏବେ ଟ୍ରାଇ –କେୱାଇସି ସମୟର ଡିଟେଲ୍ସ ନେଇ ଏହି ନୂଆ ଫିଚର ଆଣିବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଗ୍ରୀନ୍ ସିଗନାଲ ଦେଇସାରିଛନ୍ତି । ଆଉ କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି ।

ଟ୍ରାଇର ଚେୟାରମ୍ୟାନ୍ ପିଡି ବାଘେଲାଙ୍କ କହିବା ଅନୁସାରେ । ଏହି ନୂଆ ଫିଚର ଆସିବା ପରେ ୟୁଜର୍ସମାନେ ଫେକ୍ କଲରୁ ରକ୍ଷା ପାଇପାରିବେ । ନୂଆ ବ୍ୟବସ୍ଥାର ରୂପରେଖ ଶେଷ ହେବା ପରେ ଏହାର ଫିଚର ଆହୁରି ଅଧିକ ସ୍ପଷ୍ଟ ହେବ । ତେବେ ଟ୍ରୁ-କଲର ଭଳିି ଏହି ଆପ ଉପଭୋକ୍ତାଙ୍କର କେୱାଇସି ତଥ୍ୟ ନେଇ ସୂଚନା ପ୍ରଦାନ କରିଛି ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସମୟରେ ଫୋନକୁ ନେଇ ଅନେକ ସ୍କାମ ସାମ୍ନାକୁ ଆସୁଛି । ଅନନୋନ୍ ନମ୍ବରରୁ କଲ୍ କରି ଅନେକ ଲୁଟେରା, ଲୋକଙ୍କୁ ଲୁଟିବାରେ ସକ୍ଷମ ହେଉଛନ୍ତି । ଏଭଳି ସମୟରେ ଫେକ୍ କଲରୁ ବଞ୍ଚିବା ପାଇଁ ଟ୍ରାଇ ଆଣିବାକୁ ଯାଉଥିବା ଏହି ନୂଆ ଫିଚର ଅନେକ ୟୁଜର୍ସଙ୍କୁ ସାହାଯ୍ୟ କରିବ । ତେବେ ଏଥିପାଇଁ ଆଉ ଟ୍ରୁ-କଲର ଭଳି ଆପ ଡାଉନଲୋଡ୍ ନୁହେଁ ବରଂ ଫୋନରେ ହିଁ ଏହି ସୁବିଧା ମିଳିପାରିବ ।