କୁନି କୁନି ପୁଅଙ୍କ ମୁଣ୍ଡରୁ ମାଆର ପଣତ କାନି ଛଡାଇନେଲା କରୋନା । ମାଆର ମୃତ୍ୟୁ ପରେ ଅନାଥ ହୋଇଗଲେ ଦୁଇ ପୁଅ । ମାଆର ଫଟୋକୁ ଧରି ଲୁହ ଗଡାଉଛନ୍ତି ଦୁଇ ପୁଅ ।

148

କନକ ବ୍ୟୁରୋ: କରୋନାରେ ମୃତ୍ୟୁ ପରେ ନିଜ ମାଆକୁ ବିକଳ ହୋଇ ଖୋଜୁଛି ପୁଅ । ମାଆର ଫଟୋକୁ ଛାତିରେ ଚାପି ଆଖିରୁ ଲୁହ ଗଡାଉଛି ୩ ବର୍ଷର କୁନି ପୁଅ । ସେପଟେ ସାନ ଭାଇର ଏଭଳି ଅବସ୍ଥା ଦେଖି ମାଆ ଆସିବ କହି ସାନ୍ତ୍ୱନା ଦେଉଛି ୧୦ ବର୍ଷର ବଡଭାଇ ଜୟ ପ୍ରକାଶ । କରୋନା ଏହି ଦୁଇ ଭାଇଙ୍କୁ ମାଆ ଛେଉଣ୍ଡ କରି ଦେଇଛି । ଏମାନଙ୍କ ମୁଣ୍ଡରୁ ଛଡାଇ ନେଇଛି ମାଆର ପଣତ କାନି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଜମ୍ଭିରାଇ ପଞ୍ଚାୟତ ସିନ୍ଦୁର କୋଇଲି ଗ୍ରାମର ରମାନାଥ ମନ୍ତ୍ରୀ । ରାମନାଥଙ୍କ ସ୍ତ୍ରୀ ବାସନ୍ତୀ ମନ୍ତ୍ରୀ ଗତମାସରେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ । ବାସନ୍ତୀଙ୍କ ମୃତ୍ୟୁ ପରେ ବେସାହାର ହୋଇ ପଡିଛନ୍ତି ଦୁଇପୁଅ, ୩ ବର୍ଷ ଓମ୍ ଏବଂ ୧୦ ବର୍ଷର ଜୟ ପ୍ରକାଶ୍ । ମାସେ ହେବ ମାଆକୁ ଭୁଲି ପାରୁ ନାହାନ୍ତି ଦୁଇ ଭାଇ । ସେହି ମାଆର ମମତାକୁ ଏବେ ବି ଝୁରୁଛନ୍ତି ଏହି କୁନି କୁନି ପିଲା ।

ବାପା ରମନାଥ କାମକୁ ଚାଲିଯିବା ପରେ ସାନ ଭାଇର ଦାୟିତ୍ୱ ନେଉଛି ବଡ ଭାଇ ଜୟ ପ୍ରକାଶ । ସାନ ଭାଇ ମାଆକୁ ଖୋଜି କାନ୍ଦିବା ବେଳେ ନିଜ ପାଠପଢା ବହିର ଚିତ୍ର ଦେଖାଇ ସାନ୍ତ୍ୱନା ଦେଉଛି ବଡ ଭାଇ । ସାନ ଭାଇକୁ ସିନା ଚିତ୍ର ଦେଖାଇ ବୁଝାଇ ଦିଏ ହେଲେ ନିଜ ମନକୁ କିନ୍ତୁ ବୁଝାଇ ପାରେନି ଜୟ ପ୍ରକାଶ । ନିଜର ବୁଲିବା ଖେଳିବା ବୟସରେ ସେ ନେଇଛି ସାନ ଭାଇର ଦାୟିତ୍ୱ ।

ବାସନ୍ତୀଙ୍କ ସ୍ୱାମୀ ରାମନାଥ ଜଣେ ଗରିବ ପରିବାରର । ସ୍ୱାମୀ ସ୍ତ୍ରୀ ପର ଘରେ ମୂଲ ଲାଗନ୍ତି । ଏହି ଅଭାବ ଭିତରେ ଦୁଇ ପୁଅକୁ ମଣିଷ କରିବାର ସ୍ୱପ୍ନ ଦେଖୁଥିଲେ ସ୍ୱାମୀ ସ୍ତ୍ରୀ । ମାତ୍ର ଅଧା ବାଟରେ ବାସନ୍ତି ରମାନାଥଙ୍କ ହାତ ଛାଡ ଦେଇଛନ୍ତି । ଆଉ ବାସନ୍ତି ଚାଲିଯିବା ପରେ ରାମନାଥ ପୂରା ଭାଙ୍ଗି ପଡିଛନ୍ତି । ରାମନାଥ ବୁଝି ପାରୁନାହାନ୍ତି ଅଝଟ ହେଉଥିବା କୁନି ପୁଅକୁ କିପରି ବୁଝାଇବେ ତା ମାଆ ଆଉ ଏଦୁନିଆରେ ନାହିଁ ବୋଲି ।

ସ୍ତ୍ରୀ ଚାଲି ଯିବା ପରେ ଏବେ ଦୁଇ ପୁଅଙ୍କ ଦାୟିତ୍ୱ କିଏ ନେବ ? ସେମାନଙ୍କ ଭବିଷ୍ୟତ କେମିତି ଗଢିବ ? ଏଭଳି କିଛି ପ୍ରଶ୍ନ ଏବେ ରାମନାଥଙ୍କୁ ବିଚଳିତ କରିଛି । ଯଦି ସରକାର ଏହି ମାଆ ଛେଉଣ୍ଡ ଦୁଇ ପିଲାଙ୍କ ଭବିଷ୍ୟତ ଦାୟିତ୍ୱ ନିଅନ୍ତି ତାହାହେଲେ ବାସନ୍ତୀ ଦେଖିଥିବା ସ୍ୱପ୍ନ ପୂରଣ ହୋଇ ପାରନ୍ତା ।