ରାୟଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୩୦ରୁ ଅଧିକ ଗୁରୁତର ଆହତ ହସ୍ପିଟାଲରେ ଭର୍ତ୍ତି

 ଲକ୍ଷ୍ମୀପୁରରୁ କଟକ ଆସୁଥିବାବେଳେ ବିଷମକଟର ନିକଟରେ ଦୁର୍ଘଟଣାଗ୍ରସ୍ତ; ମୋଡାଣିରେ ଭାରସାମ୍ୟ ହରାଇ ୧୦ ଫୁଟ ତଲକୁ ଖସିଗଲା ବସ

86

କନକ ବ୍ୟୁରୋ : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ବସ । ବର୍ତମାନ ପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ କଟକ ଅଭିମୁଖେ ଆସୁଥିବା ଫର୍ଚ୍ୟୁନ ନାମକ ଘରୋଇ ବସଟି ବିଷମକଟକ ବ୍ଲକ ହଜାରିଡାଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଛି । ରାସ୍ତାରେ ଏକ ମୋଡାଣି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ରଖି ନପାରିବାରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସତଲେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବସର ଡ୍ରାଇଭର ଓ ଜଣେ ଯାତ୍ରୀ ଥିବା ଜଣାପଡିଛି । ଗତକାଲି ରାତି ପ୍ରାୟ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ଏହି ଦୁର୍ଘଟଣା ହୋଇଥିଲା । ଯାତ୍ରୀମାନଙ୍କ ଆର୍ତ ଚିକ୍ରାରରେ ପୁରା ଅଂଚଲ ଫାଟି ପଡୁଥିବାବେଳେ ଚାହୁଁଚାହୁଁ ଲୋକାରଣ୍ୟ ହୋଇଯାଇଥିଲା ପୁରା ଅଂଚଳ ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିବାବେଳେ ୪ଟି ୧୦୮ ଆମ୍ବୁଲାନ୍ସ ଓ ଗୋଟିଏ ୧୦୨ ଆମ୍ବୁଲାନ୍ସ ପହଂଚିଥିଲେ । ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ବିଷମକଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାୟଗଡା ସଦର ମହକୁମା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ପୋଲିସ ଓ ଅଗ୍ନିସମ ବାହିନୀ ପହଂଚି ବସ ତଳେ ଚାପି ହୋଇ ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଖବର ପାଇ ବିଷମକଟକ ଏସଡିପିଓ ଏବଂ ଥାନା ଆଇଆଇସି ରାତିରେ ଘଟଣାସ୍ଥଲରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଜଙ୍ଗଲି ରାସ୍ତା ଓ ଘନ ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଜେସିବି ସାହାଯ୍ୟରେ ବସଟିକୁ ସିଧା କରାଯାଇଥିବା ଜଣାପଡିଛି ।

ବସ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ସରକାରୀ ହସ୍ପିଟାଲ ସମେତ ଖ୍ରୀଷ୍ଟିୟାନ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି । ସ୍ଥାନୀୟ ରାଜନେତା, ସ୍ୱେଚ୍ଛାସେବୀଙ୍କଠାରୁ ଆରମ୍ଭ କରି ବିଷମକଟକ ବସ ମାଲିକ ସଂଘର ସଦସ୍ୟମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଆହତଙ୍କୁ ହସ୍ପିଟାଲ ନେବା ସହ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାପାଇଁ ବନ୍ଦୋବସ୍ତ କରିଥିଲେ । ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ଥିବା ଜଣାପଡିଛି । ଜିଲ୍ଲାପାଳ ମଧ୍ୟ ଘଟଣାସ୍ତଳରେ ପହଂଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ହସ୍ପିଟାଲରେ ପହଂଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଯାତ୍ରୀମାନଙ୍କ ତାଲିକା କରି ସଂପର୍କୀୟଙ୍କୁ ଯୋଗାଯୋଗ ପାଇଁ ପ୍ରୟାସ କରାଯାଉଛି ।