ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ । ହିନ୍ଦୁ ପରିବାରକୁ ଟାର୍ଗେଟ କିଲିଂ କଲେ ଆତଙ୍କବାଦୀ, ୨୪ ଘଣ୍ଟାରେ ରଜୌରୀରେ ୨ ଆତଙ୍କବାଦୀ ଆକ୍ରମଣ ।

201

କନକ ବ୍ୟୁରୋ : ନୂଆବର୍ଷରେ ପୁଣି ଅଶାନ୍ତ ହୋଇପଡିଛି ଜମ୍ମୁକଶ୍ମୀର । ଟାର୍ଗେଟ କିଲିଂ ଯୋଗୁଁ ପୁଣି ଥରେ ଥରହର ହୋଇପଡିଛି ସାରା ରାଜ୍ୟ । ନୂଆବର୍ଷର ପ୍ରଥମ ଦିନରେ ୩ଟି ହିନ୍ଦୁ ପରିବାରକୁ ଆତଙ୍କବାଦୀମାନେ ଆକ୍ରମଣ କରି ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ ସୋମବାର ସେନା ଓ ପୋଲିସ ମିଳିତ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଭୟ୍ଙ୍କର ଆଇଡି ବିସ୍ଫୋରଣ କରି ଆତଙ୍କବାଦୀ ଫେରାର ହୋଇଛନ୍ତି । ଦୁଇ ଦିନରେ ଦୁଇଟି ଛାତିଥରା ଘଟଣା ଯୋଗୁଁ ଜମ୍ମୁକଶ୍ମୀରରେ ଭୟ, ଆକ୍ରୋଶ ଓ ଉତେଜନା ଦେଖାଦେଇଛି ।

କାନ୍ଦ ବୋବାଳିରେ ଫାଟୁଛି ପୂରା ଅଂଚଳ । କିଏ ନିଜ ବାପାକୁ ହରାଇ ଦୁଖରେ ଭାଙ୍ଗିପଡିଛି ତ ପୁଣି କିଏ ମା’ର ମୃତ୍ୟୁରେ କାନ୍ଦି କାନ୍ଦି ବେହୋସ ହୋଇପଡୁଛି । ଆଉ କିଏ ନିଜର କୁନି ପିଲାର ମୃତ ଦେଖି ହୋସରେ ଆଉ ନାହିଁ । ଏହି ଦୃଶ୍ୟ ଦେଖିଲେ କାହାର ବି ମନ ଆନ୍ଦୋଳିତ ହୋଇପଡିବ । କାହିଁକି ଏମିତି ଘଟିଲା?କଣ ଭୂଲ କରିଥିଲେ ନିର୍ଦ୍ଦୋଷ ଲୋକମାନେ? ଏହାର ଉତର ଖୋଜିଲେ ସୁଦ୍ଧା ମିଳୁନି । ନୂଆବର୍ଷକୁ ସ୍ୱାଗତ କରିବା ଅନ୍ୟମାନଙ୍କ ପରି ରଜୌରୀ ଗ୍ରାମବାସୀ ମଧ୍ୟ ଖୁସି ଥିଲେ, ଖାସ୍ ପ୍ରସ୍ତୁତି ମଧ୍ୟ କରିଥିଲେ କିନ୍ତୁ ଅଜଣା ଥିଲେ ଆତଙ୍କୀ ଆକ୍ରମଣ ବିଷୟରେ । ରବିବାର ରଜୌରୀ ଏକ ହିନ୍ଦୁଙ୍କ ଘରେ ଆତଙ୍କବାଦୀ ପଶିଲେ । ପରିଚୟ ପତ୍ର ମାଗିଲେ । ଜାଣିବାକୁ ପାଇଲେ ସେମାନେ ହେଉଛନ୍ତି ହିନ୍ଦୁ କଶ୍ମୀର ପଣ୍ଡିତ ପରିବାର । ବାସ କେହି କିଛି ବୁଝିବା ଆଗରୁ ଆଖିବୁଜା ଗୁଳିମାଡ କରିଚାଲିଲେ ଆତଙ୍କବାଦୀ । କ୍ଷଣିକରେ ଟଳିପଡିଲା ୪ ନୀରିହ ଜୀବନ ।

ସୋମବାର ସକାଳୁ ସକାଳୁ ଆତଙ୍କୀମାନେ ଆଇଡି ବିସ୍ଫୋରଣ ସେହି ସ୍ଥାନ ପୁଣି ଦୋହଲି ଉଠିଛି ଯେଉଁଠି ରବିବାର ଗୁଳିମାଡ ଘଟଣା ଘଟିଥିଲା । ଗୁଳିମାଡ଼ ଘଟଣାକୁ ୨୪ଘଂଟା ନପୁରୁଣ ନିର୍ଦ୍ଦିଷ୍ଟ ଭାବେ ହିନ୍ଦୁ ପରିବାରକୁ ଟାର୍ଗେଟ କରି ଏହି ଆଇଡି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ଘଟଣାରେ ଜଣେ ଶିଶୁର ମୃତ୍ୟୁ ହେବା ସହ ୭ଜଣ ଗମ୍ଭୀରଭାବେ ଆହତ ହୋଇଛନ୍ତି । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି ।

୨୪ଘଂଟାରେ ଦୁଇଟି ବଡ ଧରଣର ଆକ୍ରମଣରେ ଦୋହଲିଯାଇଛି ରଜୌରୀ ସହ ପୂରା ଜମ୍ମୁକଶ୍ମୀର । ନୃସଂଶ କାଣ୍ଡ ଘଟାଇ ଫେରାର ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଜୋରଦାର କରାଯାଇଛି ସର୍ଚ୍ଚ ଅପରେସନ । ପୋଲିସ ଓ ସେନାର ସ୍ଥାନୀୟ ଅଂଚଳକୁ ସିଲ କରି ସର୍ଚ୍ଚ ଅପରେସନ କରୁଛି ।

କିଛି ଦିନ ପୂର୍ବରୁ ଜମ୍ମୁ ସ୍ରାଧୀ ହାଇୱେରେ ୪ଜଣ ଆତଙ୍କବାଦୀଙ୍କ ଏନକାଉଁଟର କରିଥିଲା ସେନା ଓ ଜମ୍ମୁ ପୁଲିସର ମିଳିତ ଟିମ୍ । ଏହାର ପ୍ରତିଶୋଧ ନେଇ ଆତଙ୍କବାଦୀ ଏହି ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ତେବେ ଏଠି ପ୍ରଶ୍ନ ଉଠୁଛି କେତେଦିନ ପର୍ଯ୍ୟନ୍ତ ଜମ୍ମୁକଶ୍ମୀରରେ ରହୁଥିବା ହିନ୍ଦୁ ଓ କଶ୍ମୀର ପଣ୍ଡିତମାନେ ଏଭଳି ଅତ୍ୟାଚାର ସହିବେ? ସମ୍ପୂର୍ଣ୍ଣ ସୁରକ୍ଷା ଯୋଗା ଯାଉଥିବା ସରକାର ଦାବି କରୁଥିବାବେଳେ ଏଭଳି ଘଟଣା ବାରମ୍ବାର କଣ ପାଇଁ ଘଟୁଛି ? ଏହାର ଉତର ଦେବ କିଏ?