କନକ ବ୍ୟୁରୋ: ପ୍ରାଣ ନେଇଗଲା ପାଣି । ଏଇ ଜଳରେ ବୁଡି ଚାଲିଯାଇଛି ୩ ସାଙ୍ଗଙ୍କ ଜୀବନ । ଏଇ ପୋଖରୀ ନେଇଯାଇଛି ୩ ଜଣ ମାଆଙ୍କ ଠାରୁ ସେମାନଙ୍କ ପୁଅ । ପାଣି ଯେ ଗୋଟେ ଗୋଟେ ପରିବାରର ଭବିଷ୍ୟତ ଅନ୍ଧାର କରିଦିଏ । ଘରର ଏକମାତ୍ର, ଏକୋଇରବୋଳା ପୁଅକୁ ଛଡେଇନିଏ । ତାହା ରାଜନଗରରୁ ଆସିଥିବା ଏ କାହାଣୀ ହିଁ ବଖାଣୁଛି । ଯେଉଁଠି ଗାଧୋଇବା ବେଳେ ସାଙ୍ଗ ହୋଇ ସେପାରିକୁ ଚାଲିଯାଇଛନ୍ତି ୩ ସାଙ୍ଗ । ଆଉ ୩ ଜଣ କୁନିପିଲାଙ୍କୁ ହରାଇ ସାତଭାୟାରେ ଶୋକର ଛାୟା । ଘରେ ମେଡିକାଲ ସବୁଠି କାନ୍ଦ ବୋବାଳି, ସାରା ଗାଁରେ ଲୁହର ବନ୍ୟା ।

Advertisment

publive-image

କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଘଟିଛି ବଡ ଅଘଟଣ । ପୋଖରୀରେ ବୁଡି ୩ଶିଶୁ ପ୍ରାଣ ହରାଇଛନ୍ତି । ସାତଭାୟ ଗାଁର ୩ ଜଣ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡିଛନ୍ତି । ଏକ ଭୋଜି ଚାଲିଥିବା ବେଳେ ଦିନ ପ୍ରାୟ ଗୋଟାଏ ବେଳେ ଗାଁର କିଛି ପିଲା ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ ୩ଜଣ ବୁଡି ଯାଇଥିଲେ । ହେଲେ ସାଙ୍ଗରେ ଗାଧୋଉଥିବା ପିଲାମାନେ ପାଟିକରିବାରୁ ଗାଁ ଲୋକେ ସେମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେବା ପରେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ବାସ୍ ତା ପରେ ହସ୍ପିଟାଲ ପାଲଟିଛି ହୃଦୟଥରା ଚିକ୍ରାରର ହଟସ୍ପଟ ।

publive-image

ବିଶାଲ, ସମ୍ବିତ, ବ୍ରିଭେନ- ୩ ଜଣ ଗୋଟିଏ ଶ୍ରେଣୀରେ ପଢୁଥିଲେ । ଆଉ ସାଙ୍ଗ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ । ପୁଅକୁ ହରାଇ ମାଆ ହତବାକ ହୋଇଛି । କାନ୍ଦୁଛି ଯେ କାନ୍ଦୁଛି । ସକାଳେ ମାଆ ପାଖେ ଥିବା ପୁଅ, ସଞ୍ଜକୁ ନାହିଁ । ଏ କଥା ଭାବିଲା ବେଳକୁ ମାଆ ଆଖିର ଲୁହ ବନ୍ଧବାଡ ମାନୁନି । ସେପଟେ ସବୁଠୁ ଦୁଃଖଦ ଆଉ ଛାତିଥରା ଦିଗଟି ହେଉଛି । ମୃତ ଶିଶୁଙ୍କର ବାପାମାନେ କେହି ଘରେ ନାହାନ୍ତି । ରାଜ୍ୟ ବାହାରକୁ ଯାଇଛନ୍ତି । ଥରେ ଭାବିଲେ, ଘରୁ ଯିବାବେଳେ ସେମାନଙ୍କ ପୁଅ ଘରେ ଥିଲେ ହେଲେ ସେମାନେ ଯେବେ ଘରକୁ ଫେରିବେ ସେ ପୁଅ ନଥିବେ । ସେମାନଙ୍କୁ ବାପା ଡାକିବାକୁ କେହି ନଥିବେ । ଓଃ ଏକଥା ଭାବିଲା ବେଳକୁ ଛାତି ରୁନ୍ଧି ହୋଇଯାଉଛି ।