କନକ ବ୍ୟୁରୋ : ରାଜରାସ୍ତାରେ ବୁଲୁଛନ୍ତି ଗୋରୁ ଗାଈ । ସହରର ରାସ୍ତାରୁ ନେଇ ଗଳିକନ୍ଦି ସବୁଠି ବୁଲା ଗୋରୁଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଯାହାଫଲରେ ଗମନାଗମନରୁ ନେଇ ଟ୍ରାଫିକ୍ ସମସ୍ୟା ମୁଣ୍ଡ ଟେକିଛି । ବ୍ରହ୍ମପୁରର ମୁଖ୍ୟରାସ୍ତାରୁ ନେଇ ଗଳିକନ୍ଦି ସବୁଠି ଏହି ଦୃଶ୍ୟ ଦେଖିବାକୁ ମିଳିଛି । ବେଶୀ କରି ଏହି ବୁଲା ଗୋରୁ ସବୁ ଅଳିଆ ଗଦା ଓ କମ୍ପୋଷ୍ଟ ପାଖରେ ଚରୁଥିବାର ଦେଖିବାକୁ ମିଳିଛି । ଗାଈ ପାଳନ କରୁଥିବା ଲୋକମାନେ ଏହି ଗୃହପାଳିତ ପଶୁ ମାନଙ୍କୁ ଘରେ ନରଖି ବାହାରକୁ ଛାଡି ଦେଉଛନ୍ତି  । ଆଉ ଏହି ପଶୁ ଖାଦ୍ୟ ନପାଇ ରାସ୍ତାରେ ବୁଲିବା ସହ ଅଳିଆ ଗଦାରୁ ଖାଦ୍ୟ ସଂଗ୍ରହ କରୁଛନ୍ତି । ଆବର୍ଜନାରେ ପଡିଥିବା ଜରି ପଲିଥିନ୍ ଖାଉଛନ୍ତି । ଯାହାକି ଗୋରୁଗାଈଙ୍କ ପ୍ରତି ବିପଦ ଡାକିଆଣୁଛି । ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଥିବା ବେଳେ ଅଭିଯୋଗ ପରେ ବି ମହାନଗର ନିଗମର ନିଘା ନାହିଁ ।

ପୂର୍ବରୁ ଯେଉଁମାନେ ଗୋ ପାଳନ କରୁଥିଲେ ସେହିମାନେ ନିଜର ଗୁହାଳ କରୁଥିଲେ । ହେଲ ଏବେ ଲୋକମାନେ ଗୋ ପାଳନ କରୁଛନ୍ତି କିନ୍ତୁ ଗୁହାଳ ରଖି ନାହାନ୍ତି । ଯେଉଁ ସ୍ଥାନରେ ଗୁହାଳ ଥିଲା ଏବେ ସେଠାରେ ଘର ନିର୍ମାଣ କରୁଛନ୍ତି । ଆଉ ଗାଇକୁ ବାହାରକୁ ଛାଡ଼ି ଦେଉଛନ୍ତି । ସେପଟେ ସହରରେ ଆଜି ପର୍ଯ୍ୟନ୍ତ ଗୋଶାଳା ନିର୍ମାଣ ହୋଇ ପାରିଲା ନାହିଁ । ମହା ନଗର ନିଗମ ମଧ୍ୟ ଏଥିପ୍ରତି ନଜର ଦେଉ ନାର୍ହି । ସେପଟେ ଗୋଶାଳା ନିର୍ମାଣ ହେବା ପରେ ଯେଉଁମାନେ ଗାଇକୁ ବାହାରକୁ ଛାଡ଼ିବେ ଅଧିକରୁ ଅଧିକ ଟଙ୍କା ଫାଇନ ପକାଯିବ ବୋଲି ବ୍ରହ୍ମପୁର ମେୟର କହିଛନ୍ତି ।

ରାସ୍ତାରେ ବୁଲୁଥିବା ଗୋରୁ ଗାଈ୍ରୁ ବାହାରେ ନଛାଡି ଗୁହାଳ ଘରେ ରଖିଲେ ସହରର ଟ୍ରାଫିକ୍ ସମସ୍ୟା ଦୂର ହୋଇପାରିବ ।