୬ ମାସର କଂଟ ପରେ ଆକ୍ସନ ମୋଡରେ ଟ୍ରାଫିକ ପୋଲିସ । ଆଇନ ଖିଲାପକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ କାଟିଲେ ଚାଲାଣ, ନିୟମ ଉଲ୍ଲଂଘନକାରୀ ଦେଖାଇଲେ ନାଲି ଆଖି ।

698

କନକ ବ୍ୟୁରୋ : ପୁଣି ରାଜରାସ୍ତା ଉପରେ ଆକ୍ସନ ମୋଡରେ ପୋଲିସ ଓ ପରିବହନ ଅଧିକାରୀ । ଯିଏ ଟ୍ରାଫିକ ନିୟମ ଭାଂଗିଲା, ଗୋଡାଇ ଗୋଡାଇ ମୋଟା ଅଙ୍କର ଚାଲାଣ କଟାଯାଉଛି । ବିଚରା ଜନତା ଆଗରେ ଆଉ କିଛି ଉପାୟ ବି ନାହିଁ । କିଏ ୫ ହଜାର ତ ଆଉ କିଏ ୧୦ ହଜାର ଫାଇନ୍ ଦେଇ, କାନମୁଣ୍ଡା ଆଉଁସି ଘରକୁ ଫେରିଛି । ଆଉ ତାଭିତରେ କେହି କେହି ପୋଲିସକୁ ନାଲିଆଖି ଦେଖାଇବାକୁ ପଛାଇନାହାନ୍ତି ।

କ୍ୟାମେରାରେ ରେକର୍ଡ ହୋଇଥିବା ଏକ ଦୃଶ୍ୟରେ, ରାଉରକେଲାରେ ଜଣେ ମହିଳା, ପୋଲିସକୁ କହୁଛନ୍ତି ଆଗ ରାସ୍ତାର ଖାଲଖମା ମରାମତି କରନ୍ତୁ, ପରେ ଫାଇନ୍ କାଟିବେ । ଭୁବନେଶ୍ୱରରେ ଜଣେ ମହିଳା ପୋଲିସକୁ କହିଛନ୍ତି, ରାସ୍ତା ଉପରେ ସାଇନବୋର୍ଡ ଲଗାଯାଉ, କେଉଁଟା ରଙ୍ଗରୁଟ୍ ଏବଂ କେଉଁଟା ଠିକ୍ ରୁଟ୍ । ତେବେ ପୋଲିସ ଓ ପରିବହନ ଅଧିକାରୀ ବିଶେଷ ଗଣ୍ଡଗୋଳ ନକରି ଏବଂ ଗାଡି ନଅଟକାଇ ଚାଲାଣ କାଟି ଛାଡିଦେଇଛନ୍ତି ।

ଗାଡି ଚେକିଂ ଆରମ୍ଭ ହେଲା ଆଉ ତାସହ ଆରମ୍ଭ ହୋଇଗଲା ପ୍ରତିବାଦ । ନୂଆ ମୋଟର ଯାନ ଆଇନରେ ମୋଟା ଅଙ୍କର ଫାଇନକୁ ନେଇ ବିଚ୍ ରାସ୍ତାରେ ତୁମ୍ବିତୋଫାନ । ଯୁକ୍ତିତର୍କ, ପାଟିତୁଣ୍ଡ ଆଉ ତାପରେ ଉତେଜନା । ରଙ୍ଗରୁଟରେ ଗାଡି ଚଲାଉଥିବା ମହିଳାଙ୍କୁ ଧରିଥିଲା ପୋଲିସ । ଆଉ ମହିଳାଙ୍କ ଯୁକ୍ତି ଥିଲା, ରାସ୍ତାରେ ନୋ ଡ୍ରାଇଭ ସାଇନ୍ ବୋର୍ଡ ନମାରି କାହିଁକି ଫାଇନ୍ କାଟୁଛି ପୋଲିସ ।

ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ରାଉରକେଲାରେ । ଗାଡି ଚଳାଇବା ବେଳେ ମହିଳା ସିଟ୍ ବେଲ୍ଟ ବାନ୍ଧିନଥିଲେ । ଆଉ ପୋଲିସ ଯେତେବେଳେ ଚାଲାଣ କାଟିବାକୁ କହିଥିଲା, ମହିଳା ଯୁକ୍ତି କରିଥିଲେ ଯେ, ପ୍ରଥମେ ରାସ୍ତାର ଖାଲଖମା ମରାମତି କରାଯାଉ, ତାପରେ ସେ ଫାଇନ ଦେବେ ।

ସେପଟେ ରାୟଗଡାରେ ଟ୍ରକକୁ ଲକ୍ଷେ ୧୦ ହଜାରର ଫାଇନ୍ । ରାଜଧାନୀରେ ବାଇକ ଚାଳକଙ୍କୁ ୧୦ ହଜାର ଜୋରିମାନା । ନୂଆ ମୋଟର ଯାନ ଆଇନ୍ ଲାଗୁ ହେବାର ପ୍ରଥମ ଦିନରେ କଡାକଡି ହୋଇଛି ଯାଂଚ୍ । ରାୟଗଡାରେ ନିୟମ ଉଲ୍ଲଂଘନ ପାଇଁ ଟ୍ରକ୍ ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍ । ରୋଡ୍ ଟାକ୍ସ ଓ ପରମିଟ୍ ନଥିବାରୁ ୧ ଲକ୍ଷ ୧୦ ହଜାର ୮ ଶହ ଟଙ୍କାର ଚାଲାଣ କାଟିଛନ୍ତି, ପରିବହନ ଅଧିକାରୀ ।

ସେହିପରି ଟ୍ରାଫିକ ଚେକିଂ ବେଳେ ଧରାପଡିଥିଲେ ଅନେକ ବେପରୁଆ ବାଇକ୍ ଚାଳକ । କିଏ ହେଲମେଟ୍ ପିନ୍ଧିନଥିଲେ ତ ଆଉ କିଏ ରଙ୍ଗରୁଟରେ ଗାଡି ଚଲାଉଥିଲେ । ଲାଇସେନ୍ସ ଓ ମୋବାଇଲରେ କଥା ହୋଇ ଗାଡି ଚଳାଇବା ପାଇଁ ବାଇକ ଚାଳକଙ୍କୁ ଲାଗିଛି ୧୦ ହଜାର ଟଙ୍କା ଫାଇନ୍ ।

ରାସ୍ତାରେ ଓଭରଲୋଡିଂ କରି ବୁହା ଚାଲିଥିବା ଗାଡିକୁ ବି ଜବତ କରିଛନ୍ତି ପରିବହନ ବିଭାଗ ଅଧିକାରୀ । ଏଥିସହ ରାସ୍ତା ଉପରେ ବେଆଇନ୍ ପାର୍କିଂ କରିଥିବା ଗାଡିକୁ ଉଠାଇନେଇଛି ପୋଲିସ । ପ୍ରଥମ ଦିନର ପ୍ରଥମ ପର୍ଯ୍ୟାୟରେ କେବଳ ଆରଟିଓ -ଟୁ ଅଂଚଳରେ ଅଢ଼େଇ ଲକ୍ଷ ଟଙ୍କାର ଫାଇନ ଆଦାୟ ହୋଇଛି । ତେବେ ଅନେକ ଚାଳକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି ।