କନକ ବ୍ୟୁରୋ : ଭୁବନେଶ୍ୱରରେ ଭିଡ ଭିତରେ ଫଶିଗଲା ଆମ୍ବୁଲାନ୍ସ । ଚାଲିଗଲା ଜଣେ ୫ ବର୍ଷର ଶିଶୁର ଜୀବନ । ଘଟଣାକୁ ନେଇ ଚାରିଆଡେ ତୁମ୍ବିତୋଫାନ ଚାଲିଥିବା ବେଳେ ଟ୍ରାଫିକ ଡିସିପି ଟ୍ୱିଟ୍ କରି ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ଭିଡ ଭିତରେ ଆମ୍ବୁଲାନ୍ସକୁ ରାସ୍ତା ଛାଡିଦିଆଯାଉ । ଏଥିସହ ଭୁବନେଶ୍ୱରବାସୀଙ୍କ ଆଗରେ ସେ ରଖିଛନ୍ତି ଜାପାନ ମଡେଲ୍ । ଏସବୁ ଭିତରେ ରାଜଧାନୀର ବିଭିନ୍ନ ଛକରେ କେମିତି ରହିଛି ଟ୍ରାଫିକ୍ ଭିଡ ସମସ୍ୟା ଏବଂ ଲୋକେ ଆମ୍ବୁଲାନ୍ସ ପ୍ରତି କେତେ ସଚେତନ, ସେନେଇ ରିଆଲିଟି ଚେକ୍ କରିଛି କନକ ନ୍ୟୁଜ୍ ।
ମଙ୍ଗଳବାର ଦିନ ପ୍ରାୟ ୧୦ଟା । ନାଲକୋ ଛକ, ଭୁବନେଶ୍ୱର । ଭିଡ ଭିତରେ ଫସିଗଲା ଆମ୍ବୁଲାନ୍ସ । ଆଗରେ ଶହ ଶହ ଗାଡି । ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥାଏ ୫ ବର୍ଷର ଶିଶୁ । ଘନ ଘନ ସାଇରନ୍ ଦେଉଥିଲା ଆମ୍ବୁଲାନ୍ସ । ତଥାପି କେହି ବାଟ ଛାଡିନଥିଲେ । ପୁଅକୁ ହସପିଟାଲ ନେଇ ଯାଉଥିବା ବାପା ରାସ୍ତା ମଝିରେ ସମସ୍ତଙ୍କୁ ନେହୁରା ହୋଇଥିଲେ, ରାସ୍ତା ଛାଡିଦେବା ପାଇଁ । ହେଲେ କେହି ରାସ୍ତା ଛାଡିବା ମାନସିକତାରେ ନଥିଲେ । ଟ୍ରାଫିକର ସବୁଜ ସଙ୍କେତ ମିଳିବା ପରେ ଆଗକୁ ବଢିଥିଲା ଆମ୍ବୁଲାନ୍ସ । ତେବେ ପୁଣି ଫସିଯାଇଥିଲା ଟ୍ରାଫିକ ଭିଡ ଭିତରେ । ମେଡିକାଲରେ ସମୟରେ ପହଂଚିନପାରି, ଅଧା ବାଟରେ ଚାଲିଗଲା ଶିଶୁର ଜୀବନ ।
ସକାଳେ ଟ୍ରାଫିକ ଭିଡ ଜଣେ ୫ ବର୍ଷର ଶିଶୁର ଜୀବନ ନେଇଗଲା । ସନ୍ଧ୍ୟାରେ ଭୁବନେଶ୍ୱର ଡିସିପି ସାଗରିକା ନାଥ ଟ୍ୱିଟ୍ କରି ଗାଡି ଚାଳକ ଓ ରାସ୍ତାରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ, ଆମ୍ବୁଲାନ୍ସକୁ ରାସ୍ତା ଛାଡିଦିଆଯାଉ । କାହାର ଜୀବନ ଏହି ଭିଡ ଉପରେ ନିର୍ଭର କରୁଛି ବୋଲି ଟ୍ୱିଟ୍ କରିଥିଲେ ଟ୍ରାଫିକ୍ ଡିସିପି । ଖାଲି ଟ୍ୱିଟ କରିନଥିଲେ ବରଂ ଏଥିସହ ଜାପାନର ଗୋଟିଏ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଗୋଟିଏ ଆମ୍ବୁଲାନ୍ସକୁ ବାଟ ଛାଡିଦେବା ପାଇଁ ଶହ ଶହ ଗାଡି ସାଇଡ ହୋଇଯାଇଥିଲେ ତାହା ଦେଖିବାକୁ ମିଳିଥିଲା । ତେଣୁ ଭୁବନେଶ୍ୱରବାସୀ ମଧ୍ୟ ଏଭଳି ଆମ୍ବୁଲାନ୍ସକୁ ଛାଡିବାକୁ ସେ ଅନୁରୋଧ କରିଥିଲେ ।
ଶୁକ୍ରବାର ସକାଳ ପ୍ରାୟ ୧୧ଟା । ଖଣ୍ଡଗିରି ଛକ । ଭୁବନେଶ୍ୱର ଅନ୍ୟ ଏକ ବ୍ୟସ୍ତବହୁଳ ରାସ୍ତା । ଆଉ ଏହି ରାସ୍ତାର ଭିଡ ଭିତର ଦେଇ ଯାଉଛି ଆମ୍ବୁଲାନ୍ସ । ସାଇରନ୍ ଦିଆଯାଉଛି , ତଥାପି କେହି ରାସ୍ତା ଛାଡୁନାହାଁନ୍ତି । ସେହି ସମାନ ଦୃଶ୍ୟ ଦିନ ୧୨ଟାରେ ମଧ୍ୟ ଖଣ୍ଡଗିରି ଛକରେ ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଖଚାଖଚ ଭିଡ । ଶହ ଶହ ଗାଡି ଯାଉଛି । ଆଉ ଏହା ଭିତରେ ଆଗକୁ ବଢୁଛି ଆମ୍ବୁଲାନ୍ସ । ତଥାପି କେହି ରାସ୍ତା ଛାଡିବାକୁ ନାରାଜ । ଗତକାଲି ଟ୍ରାଫିକ ଜାମ ଯୋଗୁଁ ଜଣେ ଛୋଟ ଛୁଆର ପ୍ରାଣ ଯାଇଥିବା ବେଳେ ଆଜି ସକାଳେ ମଧ୍ୟ ଟ୍ରାଫିକ ଜାମ୍ ପାଇଁ ଖଣ୍ଡଗିରି ଛକରେ ଫସିଥିଲା ଆମ୍ବୁଲାନ୍ସ । ଭୁବନେଶ୍ୱର ଏମ୍ସକୁ ଯାଉଥିଲା ଆମ୍ବୁଲାନ୍ସ । ହେଲେ , ଖଣ୍ଡଗିରି ଛକରେ ଫସିଗଲା । ଭିତରେ ରୋଗୀ ଛଟପଟ ହେଉଥିଲେ । ବାରମ୍ବାର ସାଇରନ୍ ଦେଉଥିଲା ଆମ୍ବୁଲାନ୍ସ । ତଥାପି କେହି ରାସ୍ତା ଛାଡିନଥିଲେ ।
Follow Us