ବିଧାନସଭାକୁ ଘାରିଲା ଆତ୍ମାହୁତି ଭୟ । ଚାରିପଟୁ ସିଲ୍ କରି ଯାଂଚ କଡ଼ାକଡ଼ି କଲା ପୁଲିସ । ଟ୍ରାଫିକ୍ ଜାମ୍ ପାଇଁ ଦହଗଂଜ ଲୋକ ।

84

କନକ ବ୍ୟୁରୋ: ସକାଳ ପ୍ରାୟ ୯ଟା ସମୟରେ ବ୍ୟସ୍ତବହୁଳ ଏଜି ଛକ ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଦେଖିବାକୁ ମିଳିଥିଲା ପ୍ରବଳ ଟ୍ରାଫିକ୍ ଜାମ୍ । ଯେଉଁଥିରେ ନିଜ ନିଜ କାମରେ ବାହାରିଥିବା ଲୋକ ଦହଗଂଜ ହୋଇଥିଲେ । ବ୍ୟାରିକେଡ ଟପି ଗାଡି ଚଳାଇବା ବି କଷ୍ଟକର ହୋଇପଡିଥିଲା । ରାସ୍ତା ଟପି ଆଗକୁ ଯିବା ପାଇଁ ବି ଲୋକେ ନାକେଦମ୍ ହୋଇଥିଲେ ।

ରାଜଧାନୀର କେନ୍ଦ୍ର ସ୍ଥଳରେ ଏପରି ଭିଡ ହେବା ପଛରେ ରହିଛି ବିଧାନସଭା । କାରଣ ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସୁରକ୍ଷାକୁ ଧ୍ୟାନ ଦେଇ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ବିଧାନସଭା ସୌଧର ଚାରିପଟ ରାସ୍ତାକୁ କରାଯାଇଛି ବନ୍ଦ । ଏଜି ଛକରୁ ସଚିବାଳୟ ମାର୍ଗ ଦେଇ ଆସୁଥିଲେ ଆଇଜି ପାର୍କ ପଛ ପାଖରେ ରାସ୍ତା ବନ୍ଦ କରାଯାଇଛି । ଫଳରେ ପୁରୁଣା ବିଧାନସଭା ସୌଧ ଆଡକୁ ଯାଉଥିବା ରାସ୍ତାରେ ଯିବାକୁ ପଡିବ । ମାଷ୍ଟର କ୍ୟାଂଟିନରୁ ପିଏମଜି ଆଡକୁ ଆସୁଥିଲେ ଆଇଜି ପାର୍କ ସମ୍ମୁଖ ଫାଟକ ଓ ପିଏମଜି ଅଫିସ ପାଖରେ ରାସ୍ତା ବନ୍ଦ । ସେପଟେ ୟୁନିଟ୍-୪ ମସଜିଦ୍ ସମ୍ମୁଖରୁ ଆସୁଥିଲେ ମହାତାବ ଲାଇବ୍ରେରୀ ନିକଟରେ ପୋଲିସ ବାଟ ଓଗାଳିବ । ଫଳରେ କେଶରୀ ହଲ୍ କଡ ଦେଇ ଆପଣଙ୍କୁ ଯିବାକୁ ପଡିବ । କମିଶନରେଟ୍ ପୁଲିସ ଭବନ ସମ୍ମୁଖରୁ ବିଧାନସଭା ଆଡକୁ ଆସିଲେ ଏମଏଲଏ କଲୋନୀ-ରବୀନ୍ଦ୍ର ମଣ୍ଡପ ନିକଟରେ ରାସ୍ତାକୁ ବନ୍ଦ କରାଯାଇଛି ।

ଗତ ବିଧାନସଭା ଅଧିବେଶନରେ ଏକାଧିକ ଆତ୍ମାହୁତି ଉଦ୍ୟମ ପୁଲିସ ପ୍ରଶାସନର ହଜିଯାଇଥିଲା ନିଦ । ଏହାକୁ ନେଇ ରାଜ୍ୟର ଗୁଇନ୍ଦା ବିଭାଗ ଉପରେ ଉଠିଥିଲା ପ୍ରଶ୍ନ । ତେଣୁ ଚଳିତ ଅଧିବେଶନ ବେଳେ ଆଗୁଆ ସତର୍କ ହୋଇଯାଇଛି ପୁଲିସ । ସ୍ଥାନେ ସ୍ଥାନେ ରଖାଯାଇଛି ଅଗ୍ନିନିର୍ବାପକ ଯନ୍ତ୍ର ଏବଂ ଲୋକଙ୍କ ସ୍ୱାର୍ଥକୁ ପଛରେ ପକାଇ ସହରର ପ୍ରମୁଖ ରାସ୍ତାକୁ କରାଯାଇଛି ବନ୍ଦ । ଏତେ ସୁରକ୍ଷା ଓ କଟକଣା ଭିତରେ କିନ୍ତୁ ସଚିବାଳୟ ରାସ୍ତା କଡରେ ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗରୁ ଆସିଥିବା ମାଆ ପୁଅ । ଫଳରେ ପୁଲିସ କରିଥିବା ଏତେ କଟକଣା କାହାପାଇଁ ?