ନୂଆ ମୋଟରଯାନ ଆଇନ ଆସିବା ପରେ ସକ୍ରିୟ ହୋଇଉଠିଛନ୍ତି ଟ୍ରାଫିକ ଅଧିକାରୀ । ପ୍ରତି ଛକ, ପ୍ରତି ରାସ୍ତାରେ ଗାଡି ଚାଳକଙ୍କ ଉପରେ କଡା ନଜର ରଖିଛନ୍ତି ଟ୍ରାଫିକ ପୋଲିସ । ନିୟମ ଉଲ୍ଲଂଘନ କରିବା ମାତ୍ରେ କଟାଯାଉଛି ଚାଲାଣ । ଯାହା ଦେଖିବା ପରେ ଏବେ ଗାଡି ଚାଳକଙ୍କ ମନରେ ଛନକା ପଶିଛି । ତେବେ କୌଣସି ଛକରେ ଯଦି ଟ୍ରାଫିକ ପୋଲିସ ଅଟକାନ୍ତି ତେବେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ଜଣେ ଗାଡି ଚାଳକ ହିସାବରେ ଯଦି ଆପଣ ଟ୍ରାଫିକ ନିୟମ ଜାଣିଥିବେ ତେବେ ଆପଣଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

Advertisment

ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣ କାଟିବାକୁ ପଡିଥାଏ ଏକଥା ସମସ୍ତେ ଜାଣିଥାନ୍ତି । କିନ୍ତୁ ଚାଲାଣ କାଟିବା ପାଇଁ ମଧ୍ୟ କିଛି ନିୟମ ରହିଛି । ଚାଲାଣ ବହି କିମ୍ବା ଇ-ଚାଲାଣ ମେସିନ ବିନା ଟ୍ରାଫିକ ପୋଲିସ ଚାଲାଣ କାଟିପାରିବେ ନାହିଁ । ଯଦି ବିନା ଚାଲାଣ ବହିରେ କେହି ଜରିମାନା ଆଦାୟ କରୁଥାନ୍ତି ତେବେ ଆଦୌ ଜରିମାନା ଦିଅନ୍ତୁ ନାହିଁ ।

ରାସ୍ତାରେ ଯିବା ବେଳେ ଟ୍ରାଫିକ ପୋଲିସ ଯଦି ଚେକିଂ ପାଇଁ ଗାଡି ଅଟକାନ୍ତି ତେବେ ପ୍ରଥମେ ଗାଡି ଅଟକାଇ କାଗଜପତ୍ର ଦେଖାନ୍ତୁ । ମନେରଖନ୍ତୁ ଗାଡି ଚେକିଂ ବେଳେ ପୋଲିସକୁ କେବଳ ଡ୍ରାଇଭିଙ୍ଗ ଲାଇସେନ୍ସ ଦେଖାନ୍ତୁ । ଏହାଛଡା ବିନା ରସିଦରେ ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନେଇ ପାରିବେ ନାହିଁ । ତେବେ ଯଦି ଆପଣ ଲାଲ ବତି ଜଳିବା ପରେ ରାସ୍ତା ପାର କରିବା, ଓଭରଲୋଡିଙ୍ଗ, ମଦ୍ୟପାନ କରି ଗାଡି ଚଳାଇବା କିମ୍ବା ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ କରି ପାରିବେ । ତେବେ ବିନା ବର୍ଦ୍ଦିରେ ଗାଡି ଚାଳକଙ୍କ ଠାରୁ ଫାଇନ ଆଦାୟ କରି ପାରିବେ ନାହିଁ ଟ୍ରାଫିକ ଅଧିକାରୀ । ଏହାଛଡା କୌଣସି ଟ୍ରାଫିକ ଅଧିକାରୀ ଗାଡି ଚାଳକଙ୍କ ଗାଡିରୁ ଚାବି କାଢି ନେଇ ପାରିବେ ନାହିଁ । ଏଭଳି ସ୍ଥିତିରେ ଆପଣ ବିରୋଧ ମଧ୍ୟ କରିପାରିବେ ।

ମୋଟରଯାନ ଅଧିନିୟମ ଅନୁଯାୟୀ, ନାଲି ବତି ଜଳିବା ପରେ ରୋଡ ପାର କରିବା, ନୋ ପାର୍କିଂ ଜୋନରେ ଗାଡି ପାର୍କିଂ କରିବା, ହେଲମେଟ, ଲାଇସେନ୍ସ ବିନା ଯାତ୍ରା କରିବା, ଅତ୍ୟଧିକ ବେଗରେ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ଧୁମ୍ରପାନ କରିବା, ବିନା ନମ୍ବରରେ ଗାଡି ଚଳାଇବା,ପଞ୍ଜିକରଣ ହୋଇନଥିବା ଗାଡି ଚଳାଇବା, ବୀମା ଓ ବାୟୁ ପ୍ରଦୂଷଣର ଡକ୍ୟୁମେଣ୍ଟ ନିଥିଲେ ତାହା ଟ୍ରାଫିକ ନିୟମର ଉଲ୍ଲଂଘନ କରିଥାଏ । କେବଳ ଏଥିପାଇଁ ଚାଲାଣ କଟାଯାଇଥାଏ । ପୋଲିସ ଯଦି ବିନା ଚାଲାଣରେ ଟଙ୍କା ମାଗୁଥାନ୍ତି ତେବେ ଆଦୌ ଦିଅନ୍ତୁ ନାହିଁ । ଏପରିକି ପୋଲିସକୁ କିଛି ପଇସା ଲାଞ୍ଚ ଦେଇ ଖସିଯିବାକୁ ଚେଷ୍ଟା କରନ୍ତୁ ନାହିଁ । ସର୍ବଦା ଚାଲାଣ କାଟୁଥିବା ପୋଲିସ ଅଧିକାରୀଙ୍କ ବକଲ ନମ୍ବର ଓ ନାଁ ପଚାରିବାକୁ ଆଦୌ ଭୁଲନ୍ତୁ ନାହିଁ । ଏପରିକି ତାଙ୍କ ଆଇଡି କାର୍ଡ ଦେଖାଇବାକୁ ମଧ୍ୟ କହିପାରିବେ । ଯଦି ପୋଲିସ ଅଧିକାରୀ ଏହି ତଥ୍ୟ ଦେବାକୁ ମନା କରନ୍ତି ତେବେ ନିୟମ ଅନୁଯାୟୀ, ଆପଣ ମଧ୍ୟ ଗାଡି କାଗଜପତ୍ର ଦିଅନ୍ତୁ ନାହିଁ ।

ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ପରମିଟ ବିନା ଯଦି ଗାଡି ଚଳାଉଥାନ୍ତି ତେବେ ନିୟମ ଅନୁଯାୟୀ ଟ୍ରାଫିକ ପୋଲିସ ଆପଣଙ୍କ ଗାଡିକୁ ଅଟକାଇପାରିବ । ଏହାଛଡା ପଞ୍ଜିକରଣ ବିନା ଚାଲୁଥିବା ଗାଡିକୁ ମଧ୍ୟ ଟ୍ରାଫିକ ପୋଲିସ ଚେକିଂ ପାଇଁ ଅଟକାଇପାରିବ । ଟ୍ରାଫିକ ନିୟମ ଅନୁଯାୟୀ, ଯେତେବେଳ ଯାଏଁ ଗାଡି ଚାଳକ ଗାଡିରେ ବସିଛନ୍ତି ସେତେବେଳ ଯାଏଁ ଗାଡିକୁ ଟ୍ରାଫିକ ପୋଲିସ ଜବତ କରି ପାରିବେ ନାହିଁ ।

ଏହାଛଡା ଯଦି କୌଣସି କାରଣରୁ ଟ୍ରାଫିକ ପୋଲିସ ଆପଣଙ୍କୁ ହଇରାଣ କରୁଥାନ୍ତି ତେବେ ତାଙ୍କ ନାଁରେ ଥାନରେ ଏଫଆଇଆର ଫାଇଲ କରି ପାରିବେ । ଏସବୁ ବ୍ୟତୀତ ଯଦି ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ଚାଲାଣ କାଟିଥାନ୍ତି ତେବେ ଏହି ଚାଲାଣ ଉପରେ ଥରେ ନଜର ପକାଇଦିଅନ୍ତୁ । କାରଣ ଟ୍ରାଫିକ ପୋଲିସ ଦ୍ୱାରା କଟାଯାଉଥିବା ଚାଲାଣରେ ନିଦ୍ଦିଷ୍ଟ କିଛି ବିଷୟରେ ଉଲ୍ଲେଖ ରହିବା ଆବଶ୍ୟକ ।
୧- ନ୍ୟାୟଳୟର ନାମ ଓ ଠିକଣା ରହିବା ଆବଶ୍ୟକ ଯେଉଁଠାରେ ଆପଣଙ୍କ କେସ ଲଢାଯିବ
୨- ଟ୍ରାଫିକ ନିୟମ ଉଲ୍ଲଘଂନର ସମ୍ପୂର୍ଣ୍ଣ ବିବରଣୀ ରହିବା ଆବଶ୍ୟକ
୩- ଟ୍ରାଏଲର ତାରିଖ
୪- ଗାଡିର ସମ୍ପୂର୍ଣ୍ଣ ତଥ୍ୟ
୫- ଟ୍ରାଫିକ ନିୟମ ଭାଙ୍ଗିଥିବା ବ୍ୟକ୍ତିର ନାମ ଓ ଠିକଣା
୬- ଚାଲାଣ କାଟିଥିବା ଅଧିକାରୀଙ୍କ ଦସ୍ତଖତ
୭- ସମ୍ପୂର୍ଣ୍ଣ କାଗଜପତ୍ରର ବିବରଣୀ
ଗାଡି ଚଳାଇବା ପୂର୍ବରୁ ଏହି ନିୟମ ଜାଣି ରଖନ୍ତୁ ନଚେତ ଆପଣଙ୍କୁ ରାସ୍ତା ମଝିରେ ହଇରାଣ ହେବାକୁ ପଡିପାରେ ।