କନକ ବ୍ୟୁରୋ : ରାଜଧାନୀର ଟ୍ରାଫିକ୍ ସମସ୍ୟା ସବୁବେଳେ ଚର୍ଚ୍ଚାରେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମାଳମାଳ ଯୋଜନା ହେଉଥିବା ସତ୍ତ୍ୱେ ସମସ୍ୟା ବଢ଼ୁଛି ପଛେ କମିବା ନାଁ ଧରୁନାହିଁ। ଯୋଜନା କାଗଜପତ୍ରରେ ରହି ଯାଉଥିବାରୁ ରାଜଧାନୀର ଏହି ମୁଖ୍ୟ ସମସ୍ୟା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି ବୋଲି ଅଭିଯୋଗ ହୋଇଆସୁଛି । ଖାସ୍ ଏହି ସମସ୍ୟାର ସମାଧାନ ପାଇଁ ଏଠାରେ ଜଣେ ଆଇପିଏସ୍ ଅଫିସର୍ଙ୍କୁ ଟ୍ରାଫିକ୍ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କୁ ସହଯୋଗ କରିବା ପାଇଁ ଅତିରିକ୍ତ ଡିସିପି, ଏସିପି ଓ ଦୁଇଟି ଥାନାର ଦୁଇଜଣ ଇନ୍ସ୍ପେକ୍ଟର ଅଛନ୍ତି। ରଙ୍ଗ୍ ରୁଟ୍ ଗାଡ଼ି ଚାଳନାକୁ ରୋକିବା ପାଇଁ ସ୍ପାଇକ୍ ବ୍ୟାରିୟର୍ ହେଉ ବା ବେଆଇନ ପାର୍କିଂରେ ହୁଇଲ୍ ଲକ୍ ବ୍ୟବସ୍ଥା ହେଉ, ଏ ସବୁ କେବଳ ଯୋଜନାରେ ରହିଛି। ତେଣୁ ଏବେ ବି ବେଆଇନ ପାର୍କିଂ ଏବଂ ରଙ୍ଗ୍ରୁଟ୍ ଡ୍ରାଇଭିଂ ବି ଚାଲିଛି ।
କୁଆଡ଼େ ଗଲା ସ୍ପାଇକ୍ ବ୍ୟାରିୟର
ଭୁବନେଶ୍ୱର ପାଇଁ ସବୁଠାରୁ ଅଧିକ ବିପଦ ହେଉଛି ରଙ୍ଗ୍ରୁଟ୍ ଡ୍ରାଇଭିଂ । କେବଳ ବାଇକ୍ ଚାଳକ ନୁହଁନ୍ତି, କାର୍, ଅଟୋ ଓ ମିନିଟ୍ରକ୍ ଭଳି ଗାଡ଼ି ମଧ୍ୟ ମଉକା ଦେଖି ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଉଛନ୍ତି । ଏହା ଦ୍ୱାରା ଠିକ୍ ରାସ୍ତାରେ ଯାଉଥିବା ଗାଡ଼ି ଚାଳକ ଓ ପଥଚାରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଦିନକୁ ଦିନ ଏହି ସମସ୍ୟା ବଢ଼ିବାରୁ କମିସନରେଟ୍ ପୁଲିସ ଏହାକୁ ଗୁରୁତ୍ୱର ସହ ନେଇଥିଲା । କଟକ-ଭୁବନେଶ୍ୱରରେ ୨୪୨ଟି ରଙ୍ଗରୁଟ୍ ଚିହ୍ନଟ କରିଥିଲା । ଏଥିମଧ୍ୟରୁ ୩୨ଟି ଅତ୍ୟନ୍ତ ସମ୍ବେଦନଶୀଳ ରୁଟ୍ ଥିଲା। ସେହି ରୁଟ୍ରେ ସ୍ପାଇକ୍ ବ୍ୟାରିୟର ଲଗାଇବାକୁ ଯୋଜନା କରାଗଲା । ରଙ୍ଗ୍ରୁଟ୍ରେ ଚଳାଚଳ କରୁଥିବା ଗାଡ଼ିର ଚକା କଣା(ଲିକ୍) ହୋଇଯିବ । ପ୍ରଥମ ପର୍ଯ୍ୟାୟରେ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନରେ ସ୍ପାଇକ୍ ବ୍ୟାରିୟର ଲାଗିବାକୁ ଥିଲା । ତେବେ ଗତ ଜାନୁଆରିରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନାକୁ ବର୍ଷେ ପୂରିବାକୁ ବସିଥିବା ବେଳେ କାର୍ଯ୍ୟକାରୀ କରାଯାଇନାହିଁ । ଏବେ ନିର୍ଦ୍ଦିଷ୍ଟ ସମୟରେ କେବଳ ରଙ୍ଗ୍ରୁଟ୍ରେ ପୁଲିସ ଛିଡ଼ା ହୋଇ ଚେକିଂ କରୁଛି। ସେହି ସମୟ ଚେକିଂ ହେବା ପରେ ବନ୍ଦ ହୋଇ ଯାଉଥିବାରୁ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଯାଉଛି । ବିଶେଷକରି ବାଣୀବିହାର, ରାଜମହଲ ଛକ ରଙ୍ଗ୍ରୁଟ୍ ଡ୍ରାଇଭିଂ କାଳ ହେଉଛି ।
ଅନ୍ଲାଇନ୍ରେ ଜମା ହେଇପାରୁନି ଜରିମାନା
ଉଲ୍ଲଂଘନକାରୀଙ୍କଠାରୁ ଆଦାୟ ହେଉଥିବା ଜରିମାନା ରାଶି ଅନ୍ଲାଇନ୍ରେ ପଇଠ କରିବାକୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା କାମ କରୁନାହିଁ। ଜରିମାନା ଅର୍ଥ ପଇଠ କରିବା ପାଇଁ ପୁଲିସ ସେବା ଭବନରେ ଏକ ସ୍ୱତନ୍ତ୍ର କାଉଣ୍ଟର୍ ହୋଇଛି। କରୋନା ପାଇଁ ନଗଦ କାରବାରକୁ ଲୋକ ପସନ୍ଦ କରୁନଥିବାରୁ ପ୍ରତ୍ୟେକ ଦିନ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।
ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କ ଘରକୁ ଚାଲାଣ ଯିବ । କ୍ୟାମେରା ଜରିଆରେ ଚାଳକ ଚିହ୍ନଟ ହେବା ପରେ ଗାଡ଼ି ନମ୍ବର ଜରିଆରେ ଘରେ ଚାଲାଣ ପହଞ୍ଚିବା ବ୍ୟବସ୍ଥା ହେଉଛି ଟିଭିଡିଏସ୍ । ୮ଟି ସ୍ଥାନରେ ଏଭଳି ବ୍ୟବସ୍ଥା ହେବାକୁ ଯୋଜନା ହୋଇଥିଲା । ଏଭଳି ବ୍ୟବସ୍ଥା ପ୍ରଥମେ ରୁପାଲି ଛକରେ ହୋଇଥିଲା । ହେଲେ ଏହା ଏବେ କାମ କରୁନି । ଏମିତିକି ପୂର୍ବର ମାନୁଆଲ ବ୍ୟବସ୍ଥା ବି ଠପ୍ ହୋଇଯାଇଛି । ସେହିଭଳି ସ୍ୱୟଂଚାଳିତ ନମ୍ବର ପ୍ଲେଟ ରିଡର୍ (ଏଏନ୍ପିଆର) ବ୍ୟବସ୍ଥା ମଧ୍ୟ ସେମିତି କାଗଜପତ୍ରରେ ରହିଯାଇଛି ।
ବେଆଇନ୍ ପାର୍କିଂ
ସେହିଭଳି ବେଆଇନ ପାର୍କିଂ ବନ୍ଦ କରିବା ପାଇଁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ଯୋଜନା କରିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏୟାର୍ପୋର୍ଟରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ରାସ୍ତାକୁ ଚିହ୍ନଟ କରାଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ପାର୍କିଂ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ସ୍ୱତନ୍ତ୍ର ଗାଡ଼ି ବୁଲି ବୁଲି ହୁଇଲ୍ ଲକ୍ ଜରିଆରେ ବେଆଇନ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। ହେଲେ ଏବେ ଏହା ବନ୍ଦ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/ujhgyhtnhb.jpg)
/kanak/media/post_attachments/wp-content/uploads/2020/11/spike-barrier.jpg)