ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା । ସକାଳ ୭ରୁ ୧୨ ମଧ୍ୟରେ ମଧୁସୂଦନ ମାର୍ଗରେ ଯାତାୟତ ବନ୍ଦ, ଜାଣନ୍ତୁ ସାଧାରଣ ଲୋକଙ୍କ ପାଇଁ କେଉଁ ରୁଟ୍ ସ୍ଥିର କଲା କମିଶନରେଟ ପୋଲିସ ।

269

କନକ ବ୍ୟୁରୋ : ରାତି ପାହିଲେ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ଏଥିପାଇଁ ପ୍ରସ୍ତୁତି ଏକରକମ ଶେଷ ହୋଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ସକାଳ ୧୦ଟା ୩୦ ମିନିଟରେ ନିଜ ମନ୍ତ୍ରୀମଣ୍ଡଳ ସହ ଶପଥ ଗ୍ରହଣ କରିବେ ନବୀନ । ଶପଥଗ୍ରହଣ ଉତ୍ସବକୁ ବିଭିନ୍ନ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ପ୍ରଦର୍ଶନୀ ପଡିଆରୁ ଆରମ୍ଭ କରି ଭୁବନେଶ୍ୱରର ପ୍ରମୁଖ ଛକ ଗୁଡିକରେ ମଧ୍ୟ ଟ୍ରାଫିକ କଟକଣା ଲାଗୁ କରିବାକୁ ନିଷ୍ପତି ନିଆଯାଇଛି । ଖାସକରି ମୁଖ୍ୟମନ୍ତ୍ରୀ ଆସିବାକୁ ଥିବା ରୁଟରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଆସନ୍ତାକାଲି ଶପଥଗ୍ରହଣ ଉତ୍ସବକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ କଟକଣା ଲାଗୁ କରାଯିବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ କିଛି ସ୍ଥାନରେ ଯାତାୟାତ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିବା ବେଳେ କିଛି ସ୍ଥାନରେ ସାଧାରଣ ଲୋକଙ୍କ ପାଇଁ ଯାତାୟତ ରୁଟ ବଦଳାଯାଇଛି । ରାମମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ (ମଧୁସୂଦନ ମାର୍ଗ)ରେ ଆସନ୍ତାକାଲି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯାନବାହାନ ଯାତାୟତ ପାଇଁ ବନ୍ଦ ରହିବ ।ଶପଥଗ୍ରହଣ ଉତ୍ସବକୁ କେବଳ ପାସ୍ ପାଇଥିବା ଯାନବାହନ ଗୁଡିକ ମଧୁସୂଦନ ମାର୍ଗ ଯାଇ ତାଙ୍କର ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ପାର୍କିଂ କରିପାରିବେ ।

ଯେଉଁମାନେ ବାଣୀବିହାର ଛକୁ ଆଡୁ ଆସି ରାମମନ୍ଦିର ଛକ ଦେଇ ହାଉସିଂ ବୋର୍ଡ ଛକ ଆଡକୁ ଯିବାକୁ ଚାହୁଁଥିବେ ସେମାନେ ମାଷ୍ଟରକ୍ୟାଣ୍ଟିନ ଦେଇ ଲୋଏର ପିଏମଜି ବାଟେ ହାଉସିଂ ବୋର୍ଡ ଛକ ଆଡକୁ ଯାଇପାରିବେ । ସେହିଭଳି ଯେଉଁମାନେ ଆଚାର୍ଯ୍ୟବିହାର ଛକ ଆଡୁ ଆସି ହାଉସିଂ ବୋର୍ଡ ଛକ ଦେଇ ରାମମନ୍ଦିର ଛକ ଆଡକୁ ଯିବାକୁ ଚାହୁଁଥିବେ ସେମାନେ ରବୀନ୍ଦ୍ର ମଣ୍ଡପ ବାଟ ଦେଇ ପିଏମଜି ରାସ୍ତାରେ ମାଷ୍ଟରକ୍ୟାଣ୍ଟିନ ଦେଇ ରାମମନ୍ଦିରକୁ ଯାଇପାରିବେ । ଏହାଛଡା କେବଳ ପାସଧାରୀ ଲୋକ ମାନେ ଯାନବାହନରେ ଶପଥଗ୍ରହଣ ଉତ୍ସବକୁ ଯାଇପାରିବେ ।