କନକ ବ୍ୟୁରୋ : ରେଶମ ସହର ଭାବେ ପରିଚିତ ବ୍ରହ୍ମପୁର । ୪୨ଟି ୱାର୍ଡ ବିଶିଷ୍ଟ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଅଂଚଳ ସଂପ୍ରସାରଣ ହୋଇଛି । ଲୋକ ସଂଖ୍ୟା ବଢିବା ସହ କୋଠାବାଡି ବଢିିଛି । ହେଲେ ବ୍ରହ୍ମପୁର ସହରର ଦୀର୍ଘ ଦିନର ଟ୍ରାଫିକ ସମସ୍ୟାରେ କିଛି ପରିବର୍ତନ ହୋଇନାହିଁ । ଟ୍ରାଫିକ ସମସ୍ୟାର ସମାଧାନ ଲାଗି ପୋଲିସ ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଗଲେ ମଧ୍ୟ କିଛି କାମରେ ଆସୁନାହିଁ । କିଛି ଅମାନିଆ ବ୍ୟବସାୟୀଙ୍କ ପାଇଁ ଟ୍ରାଫିକ ସମସ୍ୟା ବଢୁଥିବା ଅଭିଯୋଗ ହୋଇଛି । ମହାନଗର ନିଗମ ପକ୍ଷରୁ ଉଠା ଦୋକାନୀ ଓ ଠେଲା ଗାଡି ବ୍ୟବସାୟୀଙ୍କ ଥଇଥାନ ପାଇଁ ୨୦୧୯ରେ ସହରର ୨ଟି ସ୍ଥାନରେ ଭେଣ୍ଡିଂ ଜୋନ କରାଯାଇଛି । ହେଲେ ବ୍ୟବସାୟୀମାନେ ସଂପୃକ୍ତ ଭେଣ୍ଡିଂ ଜୋନର ବ୍ୟବହାର ନକରି ରାସ୍ତାକଡରେ ବ୍ୟବସାୟ କରୁଥିବାରୁ ଟ୍ରାଫିକ ସମସ୍ୟା ବଢୁଥିବା ଅଭିଯୋଗ ହୋଇଛି ।

ବ୍ରହ୍ମପୁର ସହରର ପ୍ରମୁଖ ରାସ୍ତା କହିଲେ କମାପଲ୍ଲୀ ଛକ ଠାରୁ ଗେଡ୍ ବଜାର ଦେଇ ଫାଷ୍ଟ ଗେଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ବୁଝାଏ । ତେବେ ସେହି ରାସ୍ତାଟି ଜବରଦଖଲକାରୀଙ୍କ କବଜାରେ ରହିଥିବାରୁ ରାସ୍ତା ଅଣଓସାରିଆ ହୋଇପଡିଛି । ରାଜନୈତିକ ଅଭିସନ୍ଧି ଲାଗି ଜବରଦଖଲ ଉଚ୍ଛେଦ ହୋଇପାରୁନଥିବା ଚର୍ଚ୍ଚା ହେଉଛି । ଏହାସହ ଦୋକାନର ପାର୍କିଂ ବ୍ୟବସ୍ଥା ନଥିବାରୁ ଗ୍ରାହକ ରାସ୍ତା ଉପରେ ଗାଡି ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତିି । ପାର୍କିଂ ଯୋଗୁଁ ଟ୍ରାଫିକ୍ ସମସ୍ୟା ବଢିଯାଉଛି । । ତେବେ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ପଦକ୍ଷେପ ନିଆଯାଇ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଛି ।

ଅଯଥା ରାଜସ୍ୱ ହାନୀ, ଅସଂଯୋଜିତ ପ୍ରକଳ୍ପ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେଲେ ବ୍ରହ୍ମପୁର ସହରର ଟ୍ରାଫିକ୍ ସମସ୍ୟାରେ ସୁଧାର ଆସିପାରିବ ବୋଲି ଆଶା ରଖିଛନ୍ତି ସହରବାସୀ ।