କନକ ବ୍ୟୁରୋ : ଯୋଦ୍ଧା, ନା କେବେ ହାରିଛି ନା କେବେ ହାରିବ । ମହାବାତ୍ୟାର ମହାତାଣ୍ଡବ ନା କେବେ ତାଙ୍କୁ ହରାଇପାରିଛି, ନା ମହାମାରୀ ଭଳି ମହାସଙ୍କଟ ଆଗରେ ସେ ମୁଣ୍ଡ ନୁଆଁଇଛନ୍ତି । ଡହ ଡହ ଖରା ତାଙ୍କୁ ଛୁଇଁପାରେନି, ଆଉ ବାଦଲଫଟା ବର୍ଷା ତାଙ୍କୁ ଭିଜେଇପାରେନି । ସବୁ ସଙ୍କଟର ସାମ୍ନା କରୁଥିବା ଏହି ବୀର ସିପାହି ହେଉଛନ୍ତି, ଆମ ଦେଶର ଟ୍ରାଫିକ୍ ପୋଲିସ ବାହିନୀ ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ଟ୍ରାଫିକ୍ ପୋଲିସ କର୍ମଚାରୀ ତାଙ୍କ କର୍ତବ୍ୟ ଏମିତି ପାଳନ କରୁଛନ୍ତି ଯେ, ପ୍ରବଳ ବର୍ଷା ହଉଛି ବୋଲି ସେ ଜାଣିପାରୁନାହାନ୍ତି ।
ଆସୁ ପଛେ ଯେତେ ଝଡ, ଝାଞ୍ଜି ଆଉ ପ୍ରଳୟ. କର୍ତବ୍ୟ କରିବାକୁ ସେମାନେ ସବୁବେଳେ ଅଟଳ । ଟାଣ ଖରା ହେଉ, କିମ୍ବା ପ୍ରବଳ ବର୍ଷା, କର୍ତବ୍ୟ କରିବାରେ ସେମାନେ କେବେ ପଛଘୁଂଚା ଦିଅନ୍ତି ନାହିଁ । ବର୍ଷା କାଚୁଛି, କିନ୍ତୁ ଟ୍ରାଫିକ ପୋଲିସ ଜଣଙ୍କ ସେମିତି ରାସ୍ତାରେ ଛିଡା ହୋଇ ଗାଡିଗୁଡିକୁ ବାଟ କଢେଇ ନେଉଛନ୍ତି । ଏହି ଦୃଶ୍ୟ ହେଉଛି ରାଜଧାନୀ ଦିଲ୍ଲୀର ।
ତେବେ କିଛିଦିନ ତଳେ ଏମିତି ଆଉ ଏକ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇଥିଲୁ । ରାଜଧାନୀ ଭୁବନେଶ୍ୱରରେ କେମିତି ଜଣେ ଟ୍ରାଫିକ୍ କର୍ମଚାରୀ ପ୍ରବଳ ବର୍ଷାରେ ନିଜ କର୍ତବ୍ୟ ପାଳନ କରୁଥିଲେ । ଇଏ ହେଉଛନ୍ତି, କର୍ତବ୍ୟନିଷ୍ଠ ହୋମଗାର୍ଡ ପ୍ରତାପ ସାର । ପ୍ରବଳ ବର୍ଷାରେ ନିଜ ଡ୍ୟୁଟି କରିବା ସହ ଜଣେ ଗାଡି ଚାଳକଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ମଧ୍ୟ ସେ ସଚେତନ କରାଉଛନ୍ତି ।
ନା ନିଜ ପାଇଁ ନା ନିଜ ପରିବାର ପାଇଁ, କେବଳ ଆମମାନଙ୍କ ସୁରକ୍ଷା ପାଇଁ ସେମାନେ ରାସ୍ତା ମଝିରେ ଖରାବର୍ଷାକୁ ଖାତିର ନକରି ନିଜ ଡ୍ୟୁଟି କରନ୍ତି । ଆଉ ସେମାନଙ୍କୁ ସମ୍ମାନ ଜଣାଇ, ନିଜର ସୁରକ୍ଷା ପାଇଁ, ଆମକୁ ମଧ୍ୟ ଟ୍ରାଫିକର ସମସ୍ତ ନିୟମ ମାନିବା ଉଚିତ୍ । ଗାଡି ଚଳାଇବା ବେଳେ ହେଲମେଟ୍ ପିନ୍ଧନ୍ତୁ, କିମ୍ବା ସିଟ୍ ବେଲ୍ଟ ବାନ୍ଧନ୍ତୁ । ଦ୍ରୁତଗତିରେ ଗାଡି ଚାଳନା କରନ୍ତୁ ନାହିଁ । ତେବେ ନିସ୍ୱାର୍ଥପର ଭାବେ କର୍ତବ୍ୟକୁ ସଠିକ୍ ଭାବେ ପାଳନ କରୁଥିବା ସବୁ ଟ୍ରାଫିକ କର୍ମଚାରୀଙ୍କୁ ଆମର ଶହେ ସଲାମ୍ ।