କନକ ବ୍ୟୁରୋ : ମନ ଜିତିନେଲେ ଟ୍ରାଫିକ ପୋଲିସ । ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ବେଶ ସକ୍ରିୟ ହୋଇ ଉଠିଛନ୍ତି ଟ୍ରାଫିକ୍ ପୋଲିସ । କେବଳ ଯେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି ତାହା ନୁହେଁ ବରଂ ସାଧାରଣ ଲୋକଙ୍କୁ ସହାୟତାର ହାତ ବଢାଇବାକୁ ମଧ୍ୟ ପଛାଉ ନାହାନ୍ତି । କମିଶନରେଟ ପୋଲିସର We Care We Dare ନାରା କେବଳ ଯେ ସ୍ଲୋଗାନରେ ସୀମିତ ରହିଛି ତାହା ନୁହେଁ ବରଂ ଏହାର ଝଲକ ସିଲଭର ସିଟି କଟକରେ ଦେଖିବାକୁ ମିଳିଛି ।
ଆଜି କଟକର ବ୍ୟସ୍ତବହୁଳ ଶିଖରପୁର ଛକରେ ଟ୍ରାଫିକ ହାବିଲଦାର ଲଲିତ ମୋହନ ରାଉତଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଦ୍ରୁତ ଗତିରେ ଆଗକୁ ଗାଡି ମାଡି ଚାଲୁଥିବା ବେଳେ ରାସ୍ତା ପାର ହେବାକୁ ଅପେକ୍ଷା କରି ରହିଥିଲେ ଦୃ୍ଷ୍ଟିହୀନ ଦମ୍ପତି । କିନ୍ତୁ ଭୟରେ ଆଗକୁ ବଢୁନଥିଲା ପାଦ । ଏତିକିବେଳେ ଦୃଷ୍ଟିହୀନ ଦମ୍ପତିଙ୍କ ଉପରେ ଟ୍ରାଫିକ ହାବିଲଦାର ଲଲିତଙ୍କ ନଜର ପଡିଥିଲା । ଦୃଷ୍ଟିହୀନ ଦମ୍ପତିଙ୍କ ସାଥୀ ହୋଇ ରାସ୍ତା ପାର କରାଇଦେବାକୁ ସହାୟତାର ହାତ ବଢାଇଥିଲେ ଲଳିତ । ଆଉ ଦୃଷ୍ଟିହୀନ ଦମ୍ପତିଙ୍କ ହାତ ଧରି ରାସ୍ତା ପାର କରାଇ ଦେଇଥିଲେ । ଯେଉଁଥିପାଇଁ ଏବେ ଲଲିତଙ୍କୁ ଚାରିଆଡୁ ପ୍ରଂଶସା କରାଯାଉଛି ।
Follow Us