ରାଜଧାନୀରେ ପୋଲିସ-ସାମ୍ବାଦିକ ଖଣ୍ଡଯୁଦ୍ଧ । ପ୍ରତିବାଦରେ ରାସ୍ତାରୋକ, ଆଲୋଚନା ପରେ ହଟିଲା ଆନ୍ଦୋଳନ ।

44

କନକ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଟ୍ରାଫିକ୍ ପୋଲିସ-ସାମ୍ବାଦିକ ଖଣ୍ଡଯୁଦ୍ଧ । ବିଚ୍ ରାସ୍ତାରେ ହାତାହାତି ହେଲେ ଦାୟିତ୍ୱରେ ଥିବା ଟ୍ରାଫିକ ପୁଲିସ ଓ ସାମ୍ବାଦିକ । ଆଜି ଭୁବନେଶ୍ୱର ଏଜି ଛକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଜିରୋ ଟଲରାନ୍ସ କୁହାଯାଉଥିବା ତଥା ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ଛକରେ ଏଭଳି ଘଟଣା ଘଟିଛି । ଆଉ ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଆଜି ଏଜି ଛକରେ ପ୍ରିଣ୍ଟ ମିଡିଆର ଜଣେ ସାମ୍ବାଦିକ ଅନ୍ୟ ଜଣେ ମହିଳା ସାମ୍ବାଦିକଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ଟ୍ରାଫିକ ପୋଷ୍ଟରେ ଅଟକିଥିଲେ । କିଛି ଗାଡି ଜେବ୍ରା କ୍ରସିଂ ପାର କରିଯାଇଥିବା ବେଳେ ସାମ୍ବାଦିକଙ୍କ ଗାଡି ମଧ୍ୟ ଜେବ୍ରା କ୍ରସିଂ ପାର କରି ଟ୍ରାଫିକ ପୋଷ୍ଟ ସାମ୍ନାରେ ରହିଥିଲା । ସାମ୍ବାଦିକ ଜଣକ ହେଲମେଟ ପିନ୍ଧି ନଥିଲେ । ଯାହା ଟ୍ରାଫିକ୍ ନିୟମକୁ ଉଲ୍ଲଘଂନ କରୁଥିଲା । ତେଣୁ ସାମ୍ବାଦିକଙ୍କ ଗାଡି ଅଟକାଇଥିଲେ କାଯ୍ୟରତ ଟ୍ରାଫିକ ପୋଲିସ ।

Screen shot 2017-10-30 at 4.58.17 PMଟ୍ରାଫିକ ପୋଲିସ ସାମ୍ବାଦିକଙ୍କ ଗାଡି ଅଟକାଇବା ସହ ତାଙ୍କ ଗାଡିରୁ ଚାବି କାଢି ନେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ଯୁକିତର୍କ ହୋଇଥିଲା । ଆଉ ଏହାପରେ ବିଗିଡି ଯାଇଥିଲା ପୂୂରା ପରିସ୍ଥିତି । ଟ୍ରାଫିକ୍ ପୋଲିସ ଚାଲାଣ କାଟିବା ପରିବର୍ତ୍ତେ ସାମ୍ବାଦିକଙ୍କ ଉପରକୁ ସିଧା ହାତ ଉଠାଇ ଦେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । କେହି କିଛି ବୁଝିବା ଅବସ୍ଥାରେ ନଥିଲେ । ବେଶ କିଛି ସମୟ ଧରି ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ଟ୍ରାଫିକ କର୍ମଚାରୀ ଟ୍ରାଫିକ ପରିଚାଳନା ନ କରି ମଜ୍ଜି ଯାଇଥିଲେ ଲଢେଇରେ । ଆଉ ସାମ୍ବାଦିକ ଓ ଟ୍ରାଫିକ ପୋଲିସ ଲଢେଇର ସମ୍ପୂର୍ଣ୍ଣ ଦୃଶ୍ୟକୁ କଏଦ କରିଥିଲା ସିସିଟିଭି । ପରେ ପୋଲିସ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିିତି ଶାନ୍ତ ପଡିଥିଲା ।

କାର୍ଯ୍ୟରତ ସାମ୍ବାଦିକଙ୍କୁ ଟ୍ରାଫିକ ପୋଲିସ ମାଡ ମାରିଥିବାରୁ ଏହାର ପ୍ରତିବାଦରେ ରାସ୍ତାରୋକ କରିଥିଲେ ସାମ୍ବାଦିକ । କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ପରେ ଡିସିପି ପହଞ୍ଚି ସାମ୍ବାଦିକଙ୍କ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ହଟିଥିଲେ ସାମ୍ବାଦିକ । ଏଠି ପ୍ରଶ୍ନ ଉଠୁଛି ଯଦି ସାମ୍ବାଦିକ ଜଣକ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ ତେବେ ଟ୍ରାଫିକ ପୋଲିସ ତାଙ୍କୁ ମାଡ ମାରିବା କେତେଦୂର ଯୁକ୍ତିଯୁକ୍ତ ।