ସୁଏଜ କେନାଲରେ ଅଟକି ଯାଇଛି ବିଶାଳ ମାଳବାହୀ ଜାହାଜ । ବିଶ୍ୱର ସବୁଠାରୁ ବ୍ୟସ୍ତ ଜଳପଥରେ ଟ୍ରାଫିକ ଜାମ ।

287

କନକ ବ୍ୟୁରୋ: ରାସ୍ତାରେ ଟ୍ରାଫିକ ଜାମ ଖବର ଆପଣ ଶୁଣିଥିଲେ । ହେଲେ ଜଳପଥରେ ଟ୍ରାଫିକ ଜାମ କଥାଟା ଶୁଣିଲେ ଅଡୁଆ ଲାଗୁଥିବ । ବିଶ୍ୱର ସବୁଠୁ ବ୍ୟସ୍ତ ବହୁଳ ଜଳପଥ ଇଜିପ୍ଟର ସୁଏଜ କେନାଲରେ ଏହି ଟ୍ରାଫିକ ଜାମ ହୋଇଛି । ମଙ୍ଗଳବାର ସକାଳେ ସୁଏଜ କେନାଲ ଦେଇ ଯାଉଥିବା ଏକ ବଡ କାର୍ଗୋ ସିପ୍ ଫସିଯାଇଛି । ୪୦୦ ମିଟର ଲମ୍ବ ଓ ୨୨୪ ହଜାର ଟନ ଓଜନର କାର୍ଗୋସିପ କମ ପାଣିରେ ଫସିଯାଇ ଜଳପଥର ଅଧାରୁ ଅଧିକ ଅଂଚଳକୁ ଅବରୋଧ କରିଥିବାରୁ ଯାତାୟତ ପ୍ରଭାବିତ ହେଉଛି । ଅନ୍ୟପଟେ ଆରବ ଦେଶରୁ ଏହି ପଥ ଦେଇ ତେଲ ରପ୍ତାନୀ ହୋଇଥାଏ ।

ଏହି ସୁଏଜ କେନାଲରେ ଗମନାଗମନ ଠପ ହୋଇପଡିଥିବାରୁ ସାଉଦି ଆରବ, ରୁଷିଆ, ଓମାନକୁ ଯାଉଥିବା ଓ ଫେରୁଥିବା ପ୍ରାୟ ଶହେରୁ ଅଧିକ ଜାହାଜ ମଧ୍ୟ ଫସି ଯାଇଛନ୍ତି । ସୁଏଜ କେନାଲ କର୍ତୃପକ୍ଷଙ୍କ ପକ୍ଷରୁ ଏବେ ଟ୍ରାଫିକ ଜାମରେ ଫସିଥିବା ଜାହାଜ ଗୁଡିକୁ ସେହି ସ୍ଥାନରୁ ହଟାଇବାକୁ ଉଦ୍ୟମ ଜାରି ରହିଛି । ସାରା ବିଶ୍ୱରେ ଜଳ ପଥ ଦେଇ ହେଉଥିବା ମୋଟ ମାଲ ପରିବହନର ୩୦ ପ୍ରତିଶତ ଏହି ସ୍ୱେଜ କେନାଲ ପଥରେ ହୋଇଥାଏ । ଏବେ ସୁଏଜ କେନାଲରେ ଶତାଧିକ ଜାହାଜ ଅଟକି ଥିବା ବେଳେ ବିଶେଷ କରି ତୈଲ ଦର ବଢିବା ଆଶଙ୍କା ଦେଖା ଦେଇଛି । ତେବେ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ଦିନେ ଦୁଇ ଦିନ ଲାଗିପାରେ ବୋଲି କହିଛନ୍ତି ସୁଏଜ କେନାଲ କର୍ତୃପକ୍ଷ ।