କନକ ବ୍ୟୁରୋ: ଟ୍ରାଫିକ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବିଭିନ୍ନ ଜନଗହଳି ଅଂଚଳରେ ନିର୍ମାଣ ହେଉଛି ଓଭର ବ୍ରିଜ । କିନ୍ତୁ ବିଡମ୍ବନାର କଥା ଓଭର ବ୍ରିଜ ପାଇଁ ବଢିଚାଲିଛି ଟ୍ରାଫିକ ସମସ୍ୟା । ଆମେ କହୁଛୁ ଭୁବନେଶ୍ୱର ହଂସପାଳ ଛକରେ ନିର୍ମାଣ ହେଉଥିବା ଓଭର ବ୍ରିଜ କଥା । ଭୁବନେଶ୍ୱର ହଂସପାଳରେ ନିର୍ମାଣାଧିନ ଓଭର ବ୍ରିଜକୁ ନେଇ ଚିନ୍ତାରେ ଯାତ୍ରୀ ଓ ସ୍ଥାନୀୟ ଲୋକ । ସାଧାରଣ ଯାତ୍ରୀଙ୍କ ସମେତ ରୋଗୀ ମଧ୍ୟ ହେଉଛନ୍ତି ହନ୍ତସନ୍ତ। ଭିଡ ଭିତରେ ଫସିଯାଇଛି ଆମ୍ବୁଲାନ୍ସ । ନା ଆଗକୁ ଯାଇପାରୁଛି ନା ପଛକୁ ଫେରିପାରୁଛି । ଭୁବନେଶ୍ୱରର କୂଆଖାଇ ପୋଲ ଉପରେ ଟ୍ରାଫିକ ଜାମ ଯୋଗୁଁ ଘଂଟା ଘଂଟା ଧରି ଜାତୀୟ ରାଜପଥରେ ଅଟକି ରହୁଛି ଆମ୍ୱୁଲାନ୍ସ ।
ଯେତେ ଜରୁରୀ ଥିଲେ ବି ରୋଗୀଙ୍କୁ ନେଇ ଦୃତଗତିରେ ଆସୁଥିବା ଆମ୍ବୁଲାନ୍ସ ଅଟକିଯାଉଛି ହଂସପାଳ ଛକରେ। ହଂସପାଳ ଛକରେ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏଠି ନିର୍ମାଣ ହେଉଛି ଓଭର ବ୍ରିଜ । ନିର୍ମାଣ କାମ ଆରମ୍ଭ ହୋଇଛି ସତ କିନ୍ତୁ ସରିବାର ନାଁ ନେଉ ନାହିଁ । ୨୦୨୦ ମସିହା ଜୁନ ୫ ତାରିଖରେ ଓଭର ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ୫ ତାରିଖ ସୁଦ୍ଧା ଏହା ଶେଷ କରିବା ପାଇଁ ଠିକା ସଂସ୍ଥା ଚୁକ୍ତି କରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ମାତ୍ର ୬୦୦ ମିଟର ଓଭର ବ୍ରିଜ ତିଆରି ହେବାକୁ ଲାଗିଗଲାଣି ୪ ବର୍ଷ । ଓଭର ବ୍ରିଜ ନିର୍ମାଣରେ ବିଳମ୍ୱ ହେଉଥିବାରୁ ନୂଆ ଠିକା ସଂସ୍ଥାକୁ କାମ ଦେଇଛି ଏନଏଚଏଆଇ । କିନ୍ତୁ କାମ କେବେ ସରିବ ସେ ଉତ୍ତର ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ପାଖରେ ବି ନାହିଁ ।