ଡରାଉଛି ଜୟଦେବ ବିହାରରୁ କିଟ୍ ଛକ ରାସ୍ତା । ସକାଳେ, ସନ୍ଧ୍ୟାରେ ଅସମ୍ଭାଳ ଭିଡ । ଟ୍ରାଫିକ ଜାମ ଯୋଗୁ ଚିନ୍ତାରେ ଗାଡିଚାଳକ

1,455

କନକ ବ୍ୟୁରୋ: ଡରାଉଛି ଜୟଦେବ ବିହାରରୁ କିଟ୍ ଛକ ରାସ୍ତା । ରାଜଧାନୀର ଏହି ମୁଖ୍ୟ ରାସ୍ତା ଏବେ ପାଲଟିଛି ମରଣଯନ୍ତା । ଏହି ରାସ୍ତାର ଟ୍ରାଫିକ୍ ସମସ୍ୟା ଏବେ ରାଜଧାନୀବାସୀଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ମାତ୍ର ୭ରୁ ୮ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ବେଶ କସରତ କରିବାକୁ ପଡୁଛି ।

  • ଡରାଉଛି ଜୟଦେବ ବିହାରରୁ କିଟ୍ ଛକ ରାସ୍ତା
  • ସନ୍ଧ୍ୟାହେଲେ ଅସମ୍ଭାଳ ଭିଡ

ସନ୍ଧ୍ୟାହେଲେ ଜୟଦେବ ବିହାର ଛକ ରାସ୍ତାରେ ଟ୍ରାଫିକ ଜାମ ଅସହ୍ୟ ହୋଇପଡୁଛି । ମାତ୍ର ୭ରୁ ୮ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଅକଳରେ ପଡୁଛନ୍ତି ଯାତ୍ରୀ ଓ ଗାଡିଚାଳକ । ବିଶେଷକରି ଜୟଦେବ ବିହାର, ନାଲକୋ, ଡମଣା, ପଟିଆ ଓ କିଟ ଛକରେ ଗାଡି ମୋଟର ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି । ଫଳରେ ଲୋକଙ୍କୁ ଦୁର୍ଘଟଣା ଭଳି ଭୟ ଘାରୁଛି ।

ଖାଲି ସେତିକି ନୁହେଁ, ଆମ୍ବୁଲାନ୍ସ, ରୋଗୀ ବି ବାଟରେ ଫସିରହୁଛନ୍ତି । ଆଉ ବରିଷ୍ଠ ନାଗରିକ ବି ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଡରୁଛନ୍ତି । ତେବେ କେବଳ ସନ୍ଧ୍ୟା ନୁହେଁ, ସକାଳ ୧୦ଟା ହେଲେ ଜୟଦେବବିହାରରୁ କିଟ୍ ରାସ୍ତାରେ ପ୍ରବଳ ଜାମରେ ଲୋକେ ହଇରାଣ ହେଉଛନ୍ତି । ଘରୁ ବାହାରିଲେ ଗନ୍ତବ୍ୟସ୍ଥଳରେ କେତେବେଳେ ପହଞ୍ଚିବେ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହୁଛନ୍ତି ।

ଜୟଦେବ ବିହାରରୁ ପଟିଆ ରାସ୍ତାରେ ସାଧାରଣ ବେଗରେ ଗଲେ ପ୍ରାୟ କୋଡିଏ ମିନିଟ ଲାଗିବା କଥା । କିନ୍ତୁ ସକାଳ ୧୦ଟା ଓ ସନ୍ଧ୍ୟା ହେଲେ ଏହି ରାସ୍ତାରେ ପ୍ରାୟ ଏକଘଣ୍ଟା ସମୟ ଲାଗିଯାଉଛି । କମିଶନରେଟ ପୁଲିସ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣୁନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଲୋକେ ଅଭିଯୋଗ କରୁଛନ୍ତି । ତେବେ କମିଶନରେଟ ପୁଲିସ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଜୟଦେବ ବିହାର କିଟ ଛକ ରାସ୍ତା ସ୍ମାର୍ଟ ସିଟିରୁ ଟ୍ୱିନ ସିଟକୁ ଯୋଡିଥାଏ । ଏହି ରାସ୍ତା ନନ୍ଦନକାନନ, ବାରଙ୍ଗ, ତ୍ରିଶୁଳିଆ ଦେଇ କଟକକୁ ସଂଯୋଗ କରିଛି । ପ୍ରମୁଖ ରାସ୍ତା ହୋଇଥିବାରୁ ଏଠାରେ ଭିଡ ହେବା ଓ ଟ୍ରାଫିକ ସମସ୍ୟା ଉପୁଜିବା ସାଧାରଣ କଥା । କିନ୍ତୁ ସନ୍ଧ୍ୟାରେ ଅହେତୁକ ଭିଡ ହେବା ଓ ସମାଧାନ ପାଇଁ ଉଦ୍ୟମ ନ ହେବାକୁ ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।