ଟ୍ରାଫିକ୍ ଫାଇନକୁ ଫାଙ୍କିଦେଇ ଖସିପାରିବେନି । ଗାଡି ଛାଡିଦେଲେ ହେବ ଦୁଇଗୁଣା ଜୋରିମାନା । କୋର୍ଟକୁ ଟଣାହେବେ, ଦଣ୍ଡ ପାଇବେ ।

1,064

କନକ ବ୍ୟୁରୋ : ଟ୍ରାଫିକ ଫାଇନକୁ ଆଉ ଫାଙ୍କିଦେଇ ଖସିପାରିବେନି । ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଏବେ ସାରା ଦେଶରେ ଟ୍ରାଫିକ୍ ଚେକିଂ ଜୋରଦାର କରାଯାଇଛି । ଏପରିକି ଅନେକ ସ୍ଥାନରୁ ଜୋରିମାନାର ଏମିତି କିଛି ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଗାଡିର ମୂଲ୍ୟ ଠାରୁ ଜୋରିମାନାର ଅର୍ଥରାଶି ଅଧିକ ଥିବା ଦେଖିବାକୁ ମିଳିଛି । ତେବେ ଏଭଳି ସ୍ଥିତିରେ ବର୍ତମାନ ସମୟରେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି ଯେ, ଫାଇନ୍ ଦେବା ପରିବର୍ତ୍ତେ, ଚାଳକ ପୋଲିସ ଜିମାରେ ଗାଡି ଦେଇ ଚାଲିଆସିଲେ ବର୍ତ୍ତିଯିବେ । ଆଉ ଯଦି ଆପଣ ମଧ୍ୟ ଏଭଳି ଭାବୁଛନ୍ତି, ତେବେ ଆପଣଙ୍କ ଭାବନା ସମ୍ପୂର୍ଣ୍ଣ ଭୁଲ ଅଟେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଟ୍ରାଫିକ୍ ଅଧିକାରୀଙ୍କ କହିବା ଅନୁଯାୟୀ, ଜୋରିମାନାର ଅର୍ଥରାଶି ଦେଖି ଯଦି କୌଣସି ବ୍ୟକ୍ତି ଗାଡି ଛାଡି ଚାଲିଯାଆନ୍ତି, ତେବେ ଗାଡି ଜବତ ହେବା ସହ ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ଗାଡି ମାଲିକଙ୍କ ଠାରୁ ଦୁଇ ଗୁଣା ଅର୍ଥ ରାଶି ଜବତ କରାଯିବ ।

ଯଦି କେଉଁଠି ଏଭଳି ମାମଲା ସାମ୍ନାକୁ ଆସେ, ତେବେ ଟ୍ରାଫିକ ପୋଲିସ ଏହି ମାମଲାକୁ କୋର୍ଟକୁ ପଠାଇପାରିବେ । ଏହା ପରେ ଜବତ ହୋଇଥିବା ଗାଡିକୁ ନିଲାମ କରିବା ନିମନ୍ତେ ଅନୁମତି ଦେବେ କୋର୍ଟ । ନିଲାମର ଅର୍ଥରାଶି ସରକାରୀ ଖାତାକୁ ଯିବ । ଅନ୍ୟପଟେ ନିୟମ ଭଙ୍ଗ କରିଥିବାରୁ ଗାଡି ଚାଳକଙ୍କୁ କୋର୍ଟକୁ ଟଣାଯିବ । ଯେଉଁ ନିୟମ ଗାଡି ଚାଳକ ଭଙ୍ଗ କରିଥିବେ, ସେହି ଅନୁଯାୟୀ, ତାଙ୍କୁ ଦଣ୍ଡିତ କରାଯିବ ।