କଟକରେ କାକର ଚିନ୍ତା…ବାରବାଟୀ ମୁକାବିଲାରେ ବାଧକ ସାଜିପାରେ କାକର…ଉଭୟ ଦଳରେ ପରିବର୍ତ୍ତନ ଆଶା

527

କନକ ବ୍ୟୁରୋ: ଆଜି ବାରବାଟୀ ମୁକାବିଲାରେ ଉଭୟ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ କାକର । ଅଭ୍ୟାସ ପରେ ଭାରତୀୟ ଯୁବ ତାରକା ଶ୍ରେୟସ୍ ଆୟର ମଧ୍ୟ ଏକଥା ସ୍ବୀକାର କରିଥିଲେ। ଶୀତ ଦିନରେ କଟକରେ ରାତିରେ ପ୍ରବଳ କାକର ପଡ଼ୁ ଥିବାରୁ ଟସର ଗୁରୁତ୍ବ ବଢ଼ିଯିବ। ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ଟସ୍ ଜିତିଥିଲେ। କଟକରେ ଭାଗ୍ୟ ସାଥ୍ ଦେଲେ କୋହଲି ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଟସ୍ ଜିତିବେ। ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ଦଳ ଟସ୍ ଜିତିବ, ସିଏ ପ୍ରଥମେ ବୋଲିଂ କରିବାକୁ ଚାହିଁବ।

ଉଭୟ ଦଳରେ ପରିବର୍ତନ ଆଶା

ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାରତ ଦୁଇ ଜଣ ଦ୍ରୁତ ବୋଲରଙ୍କୁ ହରାଇ ସାରିଛି। ଭୁବନେଶ୍ବର କୁମାର ପୂର୍ବରୁ ବାଦ୍ ପଡ଼ିଥିଲା ବେଳେ ବିଶାଖାପାଟଣାରେ ଆହତ ହୋଇ ଦୀପକ ଚହର ମଧ୍ୟ ଦଳରୁ ଦୂରେଇ ଯାଇଛନ୍ତି। ଭାରତ ଦୁଇ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇଲେ ନଭଦୀପ ସଇନି ଓ ସାର୍ଦୁଲ ଠାକୁରଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ। ଦୁଇ ଜଣ ବିଶେଷଜ୍ଞ ସ୍ପିନରଙ୍କ ସପକ୍ଷରେ ଗଲେ ୟୁଜବେନ୍ଦ୍ର ଚହଲଙ୍କ ଖେଳିବା ସମ୍ଭାବନା ରହିବ। ୱେଷ୍ଟଇଣ୍ଡିଜ୍ ଦଳରେ ବଡ଼ ଧରଣର ପରିବର୍ତନ ଆଶା କମ୍। ତଥାପି ଲେଗ୍ ସ୍ପିନର ହେଡେନ୍ ୱାଲ୍ସଙ୍କ ସ୍ଥାନ ଖାରି ପିଏରେ ନେଇପାରନ୍ତି। କାରଣ ବିଶାଖାପାଟଣାରେ ୱାଲ୍ସ ମାତ୍ର ୫ ଓଭର ବୋଲିଂ କରିଥିଲେ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ଋଷବ ପନ୍ତ, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ନଭଦୀପ ସଇନି, ସାର୍ଦୁଲ ଠାକୁର/ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ ୱେ‌ଷ୍ଟଇଣ୍ଡିଜ୍: ଏଭିନ ଲୁଇସ୍, ସାଇ ହୋପ୍, ସିମରନ୍ ହେଟମେୟର, ରସ୍ତନ ଚେଜ୍, ନିକୋଲାସ ପୂରନ, କିରଣ ପୋଲା‌ର୍ଡ (ଅଧିନାୟକ), ଜାସନ ହୋଲ୍ଡର, କିମୋ ପଲ୍, ଆଲଜେରି ଯୋଶେଫ, ଖରି ପିଏରେ ‌ସେଲଡନ୍ କଟ୍ରେଲ।