କନକ ବ୍ୟୁରୋ: ଏଣିକି ଭୁବନେଶ୍ୱର ୟୁନିଟ୍-୧ ମାର୍କେଟ୍ ସାମନାରେ ବାଇକ୍ ପାର୍କିଂକୁ ବନ୍ଦ କରାଯିବ । କେବଳ ଗୋଟିଏ ଲେନରେ କାର ପାର୍କିଂ ପାଇଁ ଅନୁମତି ଦିଆଯିବ । କାରଗୁଡ଼ିକୁ ୪୫ ଡିଗ୍ରୀରେ ପାର୍କିଂ କରିବାକୁ ପଡ଼ିବ । ରାସ୍ତା ସାମନାରୁ ସମସ୍ତ ଫଳ ଦୋକାନୀଙ୍କୁ ହଟାଯିବ । ହାଟ ନିକଟରେ ଥିବା ଅନ୍ୟ ତିନିଟି ସ୍ଥାନରେ ବାଇକ୍ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ । ଏଭଳି ସୂଚନା ଦେଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ।
ଏହି ଅବସରରେ ବିଏମସି ଓ ପୋଲିସ୍ ପ୍ରଶାସନ ପକ୍ଷରୁ ୧ ନମ୍ବର ହାଟ ଆଗରୁ ଲୋକଙ୍କୁ ବାଇକ୍ ହଟାଇନେବାକୁ କୁହାଯାଉଛି । ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ଅନେକ ସମୟରେ ପ୍ରବଳ ଭିଡ଼ ହେଉଥିବାରୁ କମିଶନରେଟ ପୋଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏବେ ୟୁନିଟ୍-୨ ମାର୍କେଟ ବିଲ୍ଡିଂ ଅଂଚଳରେ ଏକ ମଲଟିଲେବଲ୍ ପାର୍କିଂ କମ୍ପେକ୍ସ ତିଆରି ଚାଲିଛି । ଏହା କାର୍ଯ୍ୟକାରୀ ହେଲେ ୟୁନିଟ୍-୨ ଅଂଚଳରେ ଅନୁରୂପ ଭାବେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ ବୋଲି ଟ୍ରାଫିକ ଡିସିପି କହିଛନ୍ତି ।