ମନ ଜିଣିନେଲେ ଟ୍ରାଫିକ୍ ପୋଲିସ । ଦୀର୍ଘ ଦୁଇ ବର୍ଷ ହେଲା ବୁଲା କୁକରଙ୍କ ଯତ୍ନ ନେଉଛନ୍ତି, ପ୍ରତିଦିନ ଖାଇବାକୁ ଦେଉଛନ୍ତି ।

128

କନକ ବ୍ୟୁରୋ : ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଆପଣମାନେ ଟ୍ରାଫିକ୍ ପୋଲିସଙ୍କର ନିଷ୍ଠୁର ମନୋଭାବ ଦେଖିଥିବେ । ହେଲେ ଟ୍ରାଫିକ୍‌ ପୋଲିସଙ୍କ ମହାନତା କେବେ ଦେଖିଛନ୍ତି ? ଚେନ୍ନାଇରେ ଦେଖିବାକୁ ମିଳିଛି ଏପରି କିଛି ନିଆରା ଦୃଶ୍ୟ । ଟ୍ରାଫିକ୍‌ ପୁଲିସ୍‌ ଆର୍‌ ଅରୁନାନ୍‌ ଏକ ରାସ୍ତାରେ ବୁଲୁଥିବା କୁକୁରକୁ ଖାଇବାକୁ ଦେଇ ଚର୍ଚ୍ଚା ପାଲଟିଛନ୍ତି । କୁକୁରକୁ ତ ଅନେକ ଲୋକ ଖାଇବାକୁ ଦିଅନ୍ତି, ମାତ୍ର ଅରୁନାନ୍‌ ବର୍ଷ ବର୍ଷ ଧରି ଦୈନିକ ଏହି କାର୍ଯ୍ୟ କରି ଆସୁଛନ୍ତି । ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଗତ ୨ ବର୍ଷ ଭିତରେ ସେ ୩୨ଟି କୁକୁରଙ୍କ ଯତ୍ନ ନେଇ ସାରିଲେଣି । ଆଉ ୮ ମାସ ପରେ ସେ ତାଙ୍କ ଚାକିରି ଜୀବନରୁ ଅବସର ନେବେ । ଅରୁନାନ୍‌ ରାସ୍ତାରେ ବୁଲୁଥିବା କୁକୁରମାନଙ୍କୁ ଉଦ୍ଧାର କରି ତାଙ୍କର ଯତ୍ନ ନିଅନ୍ତି । ସୁନ୍ଦର ସୁନ୍ଦର କୁକୁର ଛୁଆମାନଙ୍କୁ ପୋଷିବା ପାଇଁ ଲୋକଙ୍କୁ କୁହନ୍ତି । କେହି କେହି ତାଙ୍କଠାରୁ କୁକୁର ଛୁଆ କିଣି କରି ଘରକୁ ବି ନିଅନ୍ତି । ସେ କହିଛନ୍ତି ଯେ ପିଲାଦିନରୁ ତାଙ୍କର କୁକୁର ପାଳିବା ଓ ଗଛ ଲଗାଇବା ସଉକ ଥିଲା । ପରିସ୍ଥିତି ନଥିବା କାରଣରୁ ତାହା ସେ କରିପାରିନାହାନ୍ତି । ଗତ କିଛି ବର୍ଷ ହେବ ସେଥିରୁ ଗୋଟାଏ କାମ କରି ଖୁବ୍‌ ସନ୍ତୋଷ ଲାଭ କରୁଛନ୍ତି ।