ମହିଳା ଟ୍ରାଫିକ କନେଷ୍ଟବଳଙ୍କୁ ଶହେ ସଲାମ ! ଦୃଷ୍ଟିହୀନ ବ୍ୟକ୍ତିଙ୍କ ହାତ ଧରି କରାଇଲେ ରାସ୍ତା ପାର, ଚାରିଆଡୁ ଛୁଟିଲା ପ୍ରଂଶସାର ସୁଅ । 

709

କନକ ବ୍ୟୁରୋ : ଖାଲିଟାରେ ଏମିତି We Care We Dareର ନାରା ଦିଏନି କମିସନରେଟ ପୋଲିସ, ଆବଶ୍ୟକ ପଡିଲେ ହାତ ଧରି ବାଟ କଢାଇ ନିଏ । କମିସନରେଟ ଟ୍ରାଫିକ ପୋଲିସ ମାନବିକତାର କାହାଣୀ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । କମିସନରେଟ ପୋଲିସର ସ୍ଲୋଗାନକୁ ସଠିକ୍ ପ୍ରମାଣିତ କରିଛନ୍ତି ମହିଳା ଟ୍ରାଫିକ କନେଷ୍ଟବଳ ରାଜଲକ୍ଷ୍ମୀ ବଳିଆରସିଂହ । କମିସନରେଟ ପୋଲିସର We Care ସ୍ଲୋଗାନର ଅସଲ ଚିତ୍ର ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ଛକରେ ଦେଖିବାକୁ ମିଳିଛି । ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଜଣେ ମହିଳା ଟ୍ରାଫିକ ପୋଲିସ ରାଜଲକ୍ଷ୍ମୀ ରାସ୍ତା ପାର କରାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ମହିଳା ପୋଲିସଙ୍କ ଏଭଳି କାର୍ଯ୍ୟକୁ ଏବେ ଭୂରି ଭୂରି ପ୍ରଂଶସା କରୁଛନ୍ତି ସାଧାରଣ ଲୋକେ ।


ସାଧାରଣତଃ ଟ୍ରାଫିକ ପୋଲିସ ଭିଡ ନିୟନ୍ତ୍ରଣ କରିବା ସହ ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କୁ ଧରିଥାଏ । ଅଧିକାଂଶ ଟ୍ରାଫିକ ପୋଲିସ ନିତିଦିନ ଏହି କାମ କରିଥାନ୍ତି । କିନ୍ତୁ ଏହି ଭିଡ ଭିତରୁ ରାଜଲକ୍ଷ୍ମୀ ଏକ ଭିନ୍ନ ଚରିତ୍ରରେ ଉଭା ହୋଇଛନ୍ତି । ଟ୍ରାଫିକ ପୋଲିସର ନିତିଦିନିଆ କାର୍ଯ୍ୟ କରିବା ସହ ରାଜଲକ୍ଷ୍ମୀ ଏଭଳି ଏକ କାମ କରିଛନ୍ତି ଯାହା ଟ୍ରାଫିକ ପୋଲିସ ପ୍ରତି ଥିବା ମନୋଭାବକୁ ବଦଳାଇବାକୁ ଲୋକମାନଙ୍କୁ ବାଧ୍ୟ କରିବ ।

ଗତକାଲି ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ଏଜି ଛକର ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିଲେ ମହିଳା ଟ୍ରାଫିକ କନେଷ୍ଟବଳ ରାଜଲକ୍ଷ୍ମୀ ବଳିଆରସିଂହ । ସମୟ ପାଖାପାଖି ୧୦ଟାରୁ ୧୧ଟା । ରାଜଧାନୀର ଛାତି ଉପରେ ମାଡି ଚାଲୁଥାଏ ଗୋଟିଏ ପରେ ଗୋଟିଏ ଗାଡି । କିନ୍ତୁ ଗାଡି ଗୁଡିକର ବେଗ ଆଗରେ ହାର ମାନିଥିଲେ ଜଣେ ଦୃଷ୍ଟିହୀନ ବ୍ୟକ୍ତି । ଆଗକୁ ପାଦ ବଢାଇଲେ ଦୁର୍ଘଟଣା ହେବାର ଆଶଙ୍କା । ସତେ ଯେମିତି ଏତେ ବଡ ଭିଡ ମଧ୍ୟରେ ସେ କିଛି ସମୟ ପାଇଁ ବେସାହାରା ପାଲଟି ଯାଇଥିଲେ । କାରଣ ରାସ୍ତା ପାର କରାଇଦେବାକୁ ସାଙ୍ଗରେ କେହି ନଥିଲେ । ଆଉ ଏହିଭଳି ଭାବେ ରାସ୍ତାର ଅପରପାଶ୍ୱର୍ରେ ଦୀର୍ଘ ସମୟ ଧରି ଦୃଷ୍ଟିହୀନ ବ୍ୟକ୍ତି ଜଣକ ଛିଡା ହୋଇ ରହିଥିଲେ । ଆଉ ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କ ଉପରେ ଉପରେ ରାଜଲକ୍ଷ୍ମୀଙ୍କର ନଜର ପଡିଥିଲା । ଗାଡି ଅଟକିବା କ୍ଷଣି ଦୃଷ୍ଟିହୀନ ବ୍ୟକ୍ତିଙ୍କ ଆଶାବାଡି ସାଜି ଛିଡା ହୋଇଥିଲେ ରାଜଲକ୍ଷ୍ମୀ । ଉକ୍ତ ଦୃଷ୍ଟିହୀନ ବ୍ୟକ୍ତିଙ୍କ ହାତ ଧରି ରାସ୍ତା ପାର କରାଇଥିଲେ ରାଜଲକ୍ଷ୍ମୀ । ଆଉ ଏହି ଦୃଶ୍ୟ କିଛି ସମୟ ପାଇଁ ସମସ୍ତଙ୍କୁ ତାଜୁବ କରିଦେଇଥିଲା ।

ଗୋଟିଏ ପଟେ ଟ୍ରାଫିକ ପୋଲିସକୁ ନେଇ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଭିନ୍ନ ଧାରଣା ରହିଥାଏ । କିନ୍ତୁ ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ରାଜଲକ୍ଷ୍ମୀ । ସାଧାରଣତଃ ପୋଲିସ ଟ୍ରେନିଂ ସମୟରେ ସାଧାରଣ ଲୋକଙ୍କ ସେବା କରିବା ପାଇଁ ତାଲିମ ଦିଆଯାଇଥାଏ ।ସାଧାରଣ ଲୋକଙ୍କ ରକ୍ଷକ ଭାବେ କାର୍ଯ୍ୟ କରିବାକୁ ଦିଆଯାଇଥାଏ ତାଲିମ ।  କିନ୍ତୁ ଦେହରେ ବର୍ଦ୍ଦି ପିନ୍ଧିବା ପରେ ଏହି କଥାକୁ ଅଧିକାଂଶ କର୍ମଚାରୀ ଭୁଲି ଯାଇଥାନ୍ତି । ଯେଉଁଥିପାଇଁ ପୋଲିସ ଓ ଟ୍ରାଫିକ ବିଭାଗକୁ ନେଇ ସାଧାରଣ ଲୋକମାନଙ୍କ ମନ ମଧ୍ୟରେ ନକରାତ୍ମକ ଚିତ୍ର ରହିଛି ।  କିନ୍ତୁ ଏହି ଚିତ୍ର ଟ୍ରାଫିକ ପୋଲିସ ମଧ୍ୟରେ ଏବେ ମଧ୍ୟ ସେବା କରିବାର ମନୋବୃତ୍ତି ରହିଛି ବୋଲି ସୂଚାଇ ଦେଉଛି । ସବୁଠୁ ବଡ କଥା ହେଲା ରାଜଲକ୍ଷ୍ମୀଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ପ୍ରଂଶସା କରାଯାଇଛି । ଟ୍ୱିଟ୍ କରି ରାଜଲକ୍ଷ୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କମିଶନରେଟ ପୋଲିସ । ଆଉ ଏହାସହ ସମସ୍ତଙ୍କ ପାଇଁ ଏବେ ରୋଲ ମଡେଲ ପାଲଟି ଯାଇଛନ୍ତି ରାଜଲକ୍ଷ୍ମୀ ।