କନକ ବ୍ୟୁରୋ: ଗତବର୍ଷ ସେପ୍ଟେମ୍ବରରୁ ସାରା ଭାରତରେ ନୂଆ ମୋଟରଯାନ ଆଇନ ଲାଗୁ କରାଯାଇଥିଲା। ଟ୍ରାଫିକ ନିୟମ କଡ଼ାକଡ଼ି କରାଯିବା ସହ ଜରିମାନାକୁ ମଧ୍ୟ ବଢ଼ାଇ ଦିଆଯାଇଥିଲା। ଯାହା ପରେ ପରେ ଜରିମାନା ଡ଼ରରେ ଲୋକେ ଟ୍ରାଫିକ ନିୟମ ମାନିବା ଆରମ୍ଭ କରିଥିଲେ। ଆଗରୁ ହେଲମେଟ୍ ନ ପିନ୍ଧିଲେ, ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ିର କାଗଜପତ୍ର ଠିକ୍ ନ ରଖିଲେ ଜରିମାନା ଲଗାଯାଉଥିବା ବେଳେ ଏବେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖିଲେ ଜରିମାନା ଦେବାକୁ ହେବ ବୋଲି ଜଣା ପଡ଼ିଛି। ଏହି ନିୟମ ପ୍ରଥମେ ଚଣ୍ଡିଗଡ଼ରେ ଫେବୃଆରି ୧ରୁ ଲାଗୁ ହେବାକୁ ଥିବା ବେଳେ ଏହି ନିୟମର ଉଲ୍ଲଂଘନ କଲେ ୫୦୦ଟଙ୍କା ଜରିମାନା ଦେବାକୁ ହେବ। ବାରମ୍ବାର ଏଭଳି ଭୁଲ କଲେ ଯାତ୍ରୀଙ୍କ ଜରିମାନା ୧,୦୦୦ଟଙ୍କାକୁ ବଢ଼ାଇ ଦିଆଯିବ ବୋଲି ଜଣା ପଡ଼ିଛି।
ତେବେ ଚଣ୍ଡିଗଡ଼ରେ ବିଭିନ୍ନ ସ୍ଥାନରେ କାର୍ ଚାଳକମାନେ ଫୋନ ଫୋନ ଉଠାଇ କଥା ହେବା ପାଇଁ ମୁଖ୍ୟ ରାସ୍ତାରେ ଗାଡ଼ି ଅଟକାଇ ଦେଇଥାନ୍ତି। ଯାହାଦ୍ବାରା ଦୁର୍ଘଟଣା ଘଟିଥାଏ। ବାରମ୍ବାର ଏଭଳି ହେଉଥିବା ଦେଖି ଜରିମାନାର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ରାସ୍ତା କଡ଼ରେ ଗାଡ଼ି ରଖିବାକୁ ଚାହୁଛନ୍ତି, ସେମାନେ ରାସ୍ତା କଡ଼ରେ ଥିବା ସର୍ଭିସ ଲେନରେ ଗାଡ଼ି ରଖି ପାରିବେ। ଯଦି ସର୍ଭିସ ଲେନରେ ଗାଡ଼ି ନ ରଖି ରାସ୍ତା ଉପରେ କୌଣସି ଚାଳକ ଗାଡ଼ି ରଖୁଛନ୍ତି, ତେବେ ତାଙ୍କୁ ୫୦୦ଟଙ୍କା ଜରିମାନା ଆକାରରେ ଦେବାକୁ ହେବ। ଫେବୃଆରି ୧ଠରୁ ଏହି ନିୟମ ଲାଗୁ ହେବ ବୋଲି ଜଣା ପଡ଼ିଛି।
Follow Us