ପରମ୍ପରାରେ ପ୍ରତିବନ୍ଧକ ସାଜିଲା କୋଭିଡ କଟକଣା, ବଡ଼ଦାଣ୍ଡରେ ପୟାଶ୍ରାଦ୍ଧ କଲେ ଶ୍ରଦ୍ଧାଳୁ ।

70

କନକ ବ୍ୟୁରୋ: ଦୀପାବଳିରେ ଜନଶୂନ୍ୟ ହୋଇପଡିଛି ସିଂହଦ୍ୱାର । ଶ୍ରୀମନ୍ଦିର ଚାରିପାଖେ ୧୪୪ଧାରା ଲାଗିଥିବାରୁ ପାଖକୁ ଯାଇ ପାରୁ ନାହାନ୍ତି ଭକ୍ତ । ମରଚିକୋଟ ଛକଠାରୁ ମାର୍କେଟ ଛକ ଯାଏଁ ବଡଦାଣ୍ଡରେ ପୟା ଶ୍ରାଦ୍ଧ ଦେଇଛନ୍ତି ଲୋକେ । କାଉଁରିଆ କାଠି ଜାଳିବା ମନା ହୋଇଥିବାରୁ ଦୀପ ଜାଳି ପରମ୍ପରା ରକ୍ଷା କରିଛନ୍ତି । ପ୍ରଶାସନର ଏହି କଟକଣାକୁ ନେଇ ସମସ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । କଟକଣା ଆଳରେ ଏହା ହିନ୍ଦୁ ଧର୍ମ ଉପରେ ଆକ୍ରମଣ ବୋଲି କହିଛନ୍ତି ପୁରୋହିତ ।

ଶ୍ରୀମନ୍ଦିର ଚାରିପାଖେ ୧୪୪ଧାରା ଜାରି ହୋଇଥିବାରୁ ପୁରୀ ସହରବାସୀ ଓ ପର୍ଯ୍ୟଟକ ପତିତପାବନ ଦର୍ଶନରୁ ବଂଚିତ ହୋଇଛନ୍ତି । ସିଂହଦ୍ୱାର ପରିବର୍ତେ ଦୋଳମଣ୍ଡପସାହି ଛକରେ ବ୍ୟାରିକେଡ ପକାଯାଇଥିବାରୁ ଭକ୍ତମାନେ ଦୂରରୁ ନୀଳଚକ୍ର ଓ ଶ୍ରୀମନ୍ଦିର ଦର୍ଶନ କରି ଫେରିଛନ୍ତି । ପୁରୀ ଆସି ଜଗାକୁ ଦର୍ଶନ କରିନପାରି ଦୁଃଖକୁ ଛାତିରେ ଚାପି ଫେରିଯାଇଛନ୍ତି ।

ଉକ୍ରଳୀୟ ପରମ୍ପରାରେ ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ବାଇଶି ପାହାଚରେ ପିଣ୍ଡଦାନ ଦିଆଯାଏ । ବଡବଡୁଆଙ୍କୁ ଡାକି ଜଗନ୍ନାଥଙ୍କୁ ଦର୍ଶନ କଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତିର ବିଶ୍ୱାସ ରହିଛି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଏହି ପରମ୍ପରାରେ ପ୍ରତିବନ୍ଧକ ସାଜିଛି ।